କୋମାରେ ‘କଣ୍ଟିଆଚିରା’ ଓ ‘ଖାଣ୍ଡିଆ’ ବ୍ୟାରେଜ୍‌ : ୬ କୋଟି ୫୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ବାଲେଶ୍ୱର : କୋମାରେ କଣ୍ଟିଆଚିରା ଓ ଖାଣ୍ଡିଆ ବ୍ୟାରେଜ୍‌। କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅଚଳ ହୋଇପଡ଼ିଛି ଏହି ଦୁଇଟି ଜଳସେଚନ ପ୍ରକଳ୍ପ। କୃଷି ଓ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଦୁଇ ପ୍ରକଳ୍ପ ଏବେ ନିଜ ଭାଗ୍ୟକୁ ଅଣ୍ଡାଳୁଛନ୍ତି। ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ିବା ଫଳରେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ। ଏହାର ପୁନରୁଦ୍ଧାର ଦିଗରେ ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍‌। ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ପ୍ରକଳ୍ପର ଭବିଷ୍ୟତ ସୁବିଦିନ ପାଇଁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ରେମୁଣା ବ୍ଲକ ଅନ୍ତର୍ଗତ ଇଞ୍ଚୁଡ଼ି ଓ ତାଳପଦା ଅଞ୍ଚଳରେ ଏହି ପ୍ରକଳ୍ପ ଅଧୀନରେ ଦୁଇଟି ବ୍ୟାରେଜ୍‌ ନିର୍ମିତ ହୋଇଥିଲା। ତାଳପଦା ପଞ୍ଚାୟତରେ କଣ୍ଟିଆଚିରା ନଦୀ ଉପରେ କଣ୍ଟିଆଚିରା ବ୍ୟାରେଜ୍‌ ନିର୍ମାଣ କରାଯାଇଥିବା ବେଳେ ଇଞ୍ଚୁଡ଼ି ପଞ୍ଚାୟତରେ ଖାଣ୍ଡିଆ ନଈ ଉପରେ ତିଆରି ହୋଇଥିଲା ଖାଣ୍ଡିଆ ଜଳସେଚନ ପ୍ରକଳ୍ପ। ୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ୧୯୯୪ ମସିହାରେ ଶୁଭ ଦିଆଯାଇଥିବା ଏହି ପ୍ରକଳ୍ପ ୧୯୯୮ରେ ସଂପୂର୍ଣ୍ଣ ହୋଇଥିଲା। ଦୁଇ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବଙ୍ଗୋପସାଗରର ଲୁଣି ପାଣି ପ୍ରବେଶକୁ ରୋକିବା ଏବଂ ଇଞ୍ଚୁଡ଼ି ଦେଇ ବହିଯାଉଥିବା ଦୁଇଟି ନଦୀ କଣ୍ଟିଆଚିରା ଏବଂ ଖାଣ୍ଡିଆ ନଈର ପାଣିକୁ ଚାଷରେ ବ୍ୟବହାର କରିବା। ତିନିଟି ଛୋଟ ନଦୀ କଣ୍ଟିଆଚିରା, ଖାଣ୍ଡିଆ ଏବଂ ନେମ୍ବୁ ନଈ ସହିତ ବେଗୁନିଆ ନାଳ, ସାପୁଆ ନାଳ, ବାଉଁଶମୁହାଁ, ଶଙ୍ଖୁଆ ନାଳ ଓ ବିରୁହାଁ ନାଳର ସଂଯୋଗୀକରଣ କରାଯାଇଥିଲା। ମାତ୍ର ଏହି ସମୟରେ ବ୍ୟାରେଜ୍‌ ନିର୍ମାଣ ସ୍ଥଳରେ ଏକ କଫର ଡ୍ୟାମ୍‌ ନିର୍ମାଣ କରାଯିବା ଜରୁରୀ ଥିବା ବେଳେ ଏହା କରାଯାଇନଥିଲା। ଫଳରେ ନଦୀ ଶଯ୍ୟାରେ ପରିବର୍ତ୍ତନ ସହିତ ମୁହାଣରେ ଏକ ବିକଳ୍ପ ନାଳ ମଧ୍ୟ ସୃଷ୍ଟି ହୋଇଥିଲା। ଫଳରେ ନିର୍ମାଣଧୀନ ଲକ୍‌ର କବାଟ ପୋତିଯାଇଥିଲା। ପରେ ପୁଣି ୨୦୦୨ ମସିହାରେ ପୋତି ହୋଇଯାଇଥିବା ଲକ୍‌ ମରାମତି ଓ ବିକଳ୍ପ ନାଳ ପୋତା ବାଦରେ ଆଉ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏପରି ଭାବରେ ପ୍ରକଳ୍ପରେ ୭ କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହେବା ପରେ ପ୍ରକଳ୍ପର ଯେଉଁ ଉଦ୍ଦେଶ୍ୟ ରହିଥିଲା ତାହାପୂରଣ ହୋଇପାରିଲା ନାହିଁ।

ପ୍ରକଳ୍ପ ହୋଇଥିଲେ ରେମୁଣା, ବାହାନଗା ଓ ସଦର ବ୍ଲକର ଶ୍ରୀଜଙ୍ଗ, ମହାରାଜପୁର, କୁଳିଗାଁ, ବରୁଣସିଂ, ତୁଣ୍ଡରା, ତାଳପଦା, ଇଞ୍ଚୁଡ଼ି, ଶେରଗଡ଼ ପଞ୍ଚାୟତ, କଲ୍ୟାଣୀ, ଗୋପାଳପୁର, ପଣପଣା ପଞ୍ଚାୟତ, ରସାଳପୁର, ଶାସଙ୍ଗ, ଗେଙ୍ଗୁଟି ଆଦି ପଞ୍ଚାୟତର ଲୋକେ ଯଥେଷ୍ଟ ଉପକୃତ ହୋଇଥାନ୍ତେ। କମ୍‌ ବର୍ଷା ଜିନିତ ମରୁଡ଼ିରୁ ରକ୍ଷା ମିଳିବା ସହିତ ସମୁଦ୍ର ଲୁଣିପାଣିରୁ ବଂଚିତ ହୋଇଥାନ୍ତେ। ସେହିପରି ୩ ନଦୀର ମଧୁର ପାଣିକୁ ଜଳସେଚନରେ ବ୍ୟବହାର କରାଯାଇପାରିଥାନ୍ତା। ଏହି ପ୍ରକଳ୍ପ ହେଲେ ଲୁଣି ପାଣିରୁ ଚାଷୀ ମୁକ୍ତି ପାଇବେ ବୋଲି ବହୁତ ଖୁସି ବି ହୋଇଯାଇଥିଲେ। ଏମିତିକି ପ୍ରକଳ୍ପ ଆରମ୍ଭକୁ ନେଇ ଡଙ୍ଗା, ଭୁଟୁଭୁଟି ମାଲିକ, ବହୁ ଚିଙ୍ଗୁଡ଼ି ଫାର୍ମର ମାଲିକମାନଙ୍କ ବିରୋଧ ସତ୍ତ୍ୱେ ବି ସଚେତନ ଲୋକଙ୍କ ସହଯୋଗରେ ଏହି ପ୍ରକଳ୍ପ ୯୦ ପ୍ରତିଶତ ସଂପୂର୍ଣ୍ଣ ହୋଇସାରିଥିଲା। ହେଲେ ବିଡ଼ମ୍ବନାର ବିଷୟ, ଦୀର୍ଘ ୧୯ ବର୍ଷ ଧରି ଏହି ପ୍ରକଳ୍ପ ଅକାମୀ ଅବସ୍ଥାରେ ପଡ଼ିଛି। ବର୍ଷବର୍ଷ ଧରି ଅଚଳ ହେବା ଯୋଗୁଁ କଣ୍ଟିଆଚିରା ବ୍ୟାରେଜ୍‌ ଲକ୍‌ ସବୁ କଳଙ୍କି ଲାଗି ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଖାଣ୍ଡିଆ ବ୍ୟାରେଜ୍‌ର ଅଧିକାଂଶ ଅଂଶ ଭାଙ୍ଗିଯାଇ ଜରାଜୀର୍ଣ୍ଣ ଅବସ୍ଥାରେ। କୋଟିକୋଟି ଟଙ୍କାର ଏହି ପ୍ରକଳ୍ପର ଫେଲ୍‌ ମାରିବାରୁ ଏହା ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଦୁଃଖ ଦୂର କରିବାରେ ସମର୍ଥ ହୋଇନାହିଁ।

ବର୍ତ୍ତମାନ ଏହି ସ୍ଥାନରେ ଥିବା ଶହଶହ ଏକର ଜମି ପ୍ରଭାବଶାଳୀ ଚିଙ୍ଗୁଡ଼ି ମାଲିକଙ୍କ କବ୍‌ଜାରେ। ଏସବୁୁ ଜାଣି ମଧ୍ୟ ପ୍ରଶାସନ ତଥା ଜଳସଂପଦ ବିଭାଗ ନିରବଦ୍ରଷ୍ଟା ସାଜିଛି। ଏ ସଂପର୍କରେ ରେମୁଣା ବିଧାୟକ ଗୋବିନ୍ଦ ଦାସଙ୍କୁ ପଚାରିବାରୁ ସେ କହିଲେ, କିଛି ପ୍ରଭାବଶାଳୀ ଚିଙ୍ଗୁଡ଼ି ଚାଷୀ ତତ୍କାଳୀନ ସରକାର ତଥା ପ୍ରଶାସନକୁ ପ୍ରଭାବିତ କରି ଏହି କାମ କରିବାକୁ ଦେଲେ ନାହିଁ। ଗତ ବର୍ଷ ବିଧାନସଭାରେ ପ୍ରକଳ୍ପର ଅଗ୍ରଗତି ପ୍ରସଙ୍ଗରେ ଉଠାଇଥିଲି। ଏ ଦିଗରେ ପଦକ୍ଷେପ ହାତକୁ ନିଆଯିବ ବୋଲି ତତ୍କାଳୀନ ମନ୍ତ୍ରୀ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର