ପ୍ରେମ ପାଇଁ ବାୟାଣୀ ସାଜିଲା, ସ୍ୱାମୀ ଶୋଇଥିବା ଅବସ୍ଥାରେ ପ୍ରେମିକ ସହ ମିଶି ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ବାଲେଶ୍ୱର: ପ୍ରେମିକ ସହ ମିଶି ସ୍ୱାମୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଅତି ବୀଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖନ୍ତାପଡା ପୁଲିସ ନିକଟରେ ଦୁଇ ହତ୍ୟାକାରୀ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

ସୂଚନା ମୁତାବକ, ଗତ ୧୯ ତାରିଖ ରାତିରେ ବରୁଣସିଂ ପଂଚାୟତର ମାଳ ଗ୍ରାମର ଜୟଦେବଙ୍କର ହତ୍ୟା କରାଯାଇଥିଲା ।  ସେ ଖାଇ ସାରି ଶୋଇବା ପରେ ପ୍ରେମିକ ଧୁଡ଼ୁକା ଓରଫ ମିତେଶଙ୍କ ସହ ମିଶି ତାଙ୍କ ପତ୍ନୀ ତିଳୋତ୍ତମା ଅତି ଚତୁର ଭାବେ ଜୟଦେବଙ୍କର ମୁଣ୍ଡକୁ ହାଣି ହତ୍ୟା କରିଥିଲେ । ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଖନ୍ତାପଡା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଓ ସାଇଂଟିଫିକ୍‌ ଟିମ୍‌ ସହିତ ସନ୍ଧାନୀ କୁକୁର ପହଁଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ସ୍ତ୍ରୀ ଉପରେ ସନ୍ଦେହ କରି ପଚାରଉଚରା କରିବାରୁ ହତ୍ୟାକାଣ୍ଡର ସତ ପଦାକୁ ଆସିଥିଲା।

ଉଲ୍ଲେଖ ଥାଉ କି, ଗତ ଶନିବାର ରାତିରେ ଅନନ୍ତ ଦାସପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ବର୍ଷର ପୁଅ କ୍ରିଷ୍ଣା ଚିତ୍କାର କରିବାରୁ ଅନ୍ୟ ଘରେ ଶୋଇଥିବା ସ୍ତ୍ରୀ ତିଳୋତ୍ତମା ଓରଫ ମାଣିକ (୩୫) ସେଠାରେ ପହଞ୍ଚିଥିଲେ । ଜୟଦେବ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡ଼ିଥିବା ଦେଖି ତିଳୋତ୍ତମା ପଡ଼ିଶାଙ୍କୁ ଡାକ ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର