ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରେ ମୃତ୍ୟୁ

ନୀଳଗିରି : ନୀଳଗିରି ଏନ୍‌ଏସି କଦମସାହିରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ହେଉଛନ୍ତି ନବଘନ ମଲ୍ଲିକଙ୍କ ପତ୍ନୀ ଶାନ୍ତିଲତା(୪୮)। ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଅକ୍ରମଣ କରାଯାଇଥିଲା। ତାଙ୍କ ମୁଣ୍ଡ ଓ କାନମୂଳରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଛି। ଖବରପାଇ ପୁଲିସ ପହଞ୍ଚି ଶବ ଜବତ କରିି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, କଦମସାହି ଗ୍ରାମରେ ନବଘନ ମଲ୍ଲିକ ସୈନ୍ୟବାହିନୀରୁ ଅବସର ନେବା ପରେ ଉକ୍ତ ଗ୍ରାମରେ ଘର କରି ରହୁଛନ୍ତି। ତାଙ୍କର ଏକମାତ୍ର ଝିଅ ବରହମପୁର ମେଡିକାଲ କଲେଜରେ ଅଧ୍ୟୟନରତ। ଏବେ ନବଘନ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଘରେ ପହଞ୍ଚି କଲିଂବେଲ୍‌ ମାରିଲା ବେଳକୁ କେହି ଶୁଣି ନଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟଖୋଲି ପଶିବାରୁ ଶୋଇବା ଘର ଭିତରେ ଶାନ୍ତିଲତା ଦୌଡ଼ିରେ ହାତବନ୍ଧା ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ିଥିଲେ।

ଖବରପାଇ ଘଟଣାସ୍ଥଳରେ ନୀଳଗିରି ଥାନା ଏସ୍‌ଆଇ ଦୀନବନ୍ଧୁ ମହାନ୍ତି, ଏଏସ୍‌ଆଇ ପିକେ ତିଆଡ଼ି ଓ ବିଷ୍ଣୁମୋହନ ରାଉତ ପହଞ୍ଚି ଶାନ୍ତିଲତାଙ୍କୁ ନୀଳଗିରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରୁ ଲୁହା ରଡ୍‌ ଜବତ କରି ତଦନ୍ତ ଚଳାଇଛନ୍ତି। ଖବର ଲେଖିହେବା ବେଳକୁ ମୃତ୍ୟୁର ରହସ୍ୟ ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ନବଘନଙ୍କୁ ପଚାରିବାରୁ ସେ ହତ୍ୟାରେ କାହାର ହାତ ଅଛି ବୋଲି ଜାଣି ନ ଥିବା ପ୍ରକାଶ କରିଛନ୍ତି।

ନୀଳଗିରି ଆଇଆଇସି ରମେଶ ସିଂଙ୍କୁ ପଚାରିବାରୁ ସାଇଣ୍ଟିିଫିକ୍‌ ଦଳକୁ ଖବର ଦିଆଯାଇଛି; ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ତେବେ ନବଘନଙ୍କ ଘରେ ଆଜି ପକ୍କାକାମ କରୁଥିବା ମିସ୍ତ୍ରୀକୁ ସନ୍ଦେହକରି ପୁଲିସ ୨୮୧/୧୭ ନଂ ମାମଲା ରୁଜୁକରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର