ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ ବାଲି ଖାଦାନକୁ ଯାଉଥିବା ଯୁବକ ଗୁରୁତର

ବାଲେଶ୍ୱର/ବାଲିଆପାଳ: ସୁବର୍ଣ୍ଣରେଖା ନଦୀ ନିକଟ ବାଲିଆପାଳ ଥାନା ଅଧୀନ ବାଲିଆପାଳ-କମର୍ଦ୍ଦା ରାସ୍ତାର ବଡ଼ମଇଁଷାରୀ ଛକ ନିକଟରେ ଆଜି ଅପରାହ୍ନରେ ଗୁଳିକାଣ୍ଡ ଘଟିଛି। ଦୁଇଜଣ ଅଜଣା ଯୁବକ ବାଇକ୍‌ରେ ଆସି ଅତର୍କିତ ଭାବେ ଫାୟରିଂ କରି ଫେରାର ହୋଇଯାଇଥିଲେ। ଏଥିରେ ଖଗଡ଼ାପାଳର ସୁଧାଂଶୁ ଶେଖର ଚକ୍ରବର୍ତ୍ତୀଙ୍କ ପୁଅ ସୌମ୍ୟଦ୍ବୀପ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧ‌ାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଦିନ ଦ୍ବିପହରରେ ଏଭଳି ଗୁଳିକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ନିଜ ବୁଲେଟ୍‌ ଗାଡ଼ିରେ ସୌମ୍ୟଦ୍ବୀପ ବାଲିଆପାଳ-କମର୍ଦ୍ଦା ରାସ୍ତାରେ ତାଙ୍କର କଣ୍ଟାପାଳସ୍ଥିତ ବାଲି ଖାଦାନକୁ ଯାଉଥିଲେ। ସେହି ରାସ୍ତାର ବଡ଼ମଇଁଷାରୀ ଛକ ନିକଟରେ ଗୋଟିଏ ସୁଜୁକି ଜିଗ୍‌ଜର ବାଇକ୍‌ରେ ଦୁଇଜଣ ଅଜଣା ଯୁବକ ତାଙ୍କର ପିଛା କରିଥିଲେ। ଏହା ଜାଣିପାରି ସୌମ୍ୟଦ୍ବୀପ ଦ୍ରୁତଗତିରେ ଗାଡ଼ି ଚଳାଇଥିଲେ। ତେବେ ଦୁବୃର୍ତ୍ତମାନେ ପଛ ପଟରୁ ତାଙ୍କ ପିଠିକୁ ଗୁଳିମାଡ଼ କରିଥିଲେ। ସୌମ୍ୟଦ୍ବୀପଙ୍କ ଡାହାଣ ପାଖ କାନ୍ଧ ତଳକୁ ଗୁଳି ବାଜିଥିଲା। ତେବେ ବାଇପାସ୍‌ ଛକ ନିକଟରେ ତାଙ୍କ ଦେହରେ ଗୁଳି ବାଜିଥିବା କହି ସୌମ୍ୟଦ୍ବୀପ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କ ନିକଟରେ ରୁଣ୍ଡ ହୋଇଯାଇଥିଲେ। ଏହାଦେଖି ଦୁବୃର୍ତ୍ତମାନେ ପାରୁଳିଆ ହାଟ ରାସ୍ତା ଦେଇ ଛୁ’ ମାରିଥିଲେ। ସ୍ଥାନୀୟ ଲୋକେ ସୌମ୍ୟଦ୍ବୀପଙ୍କୁ ଏକ ବାଇକ୍‌ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଗୁଳିମାଡ଼ କରିଥତବା ଯୁବକଙ୍କ ମଧ୍ୟରୁ ଜଣଙ୍କୁ ସୌମ୍ୟଦ୍ବୀପ ଚିହ୍ନିପାରିଥିଲେ। ସଂପୃକ୍ତ ଯୁବକ ଜଣକ ଜାମକୁଣ୍ଡା ଅଞ୍ଚଳର ପ୍ରକାଶ ସାମଲ ଓରଫ ଚଗଲା ବୋଲି ସେ କହିଛନ୍ତି। ପ୍ରକାଶଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ‌ସୌମ୍ୟଦ୍ବୀପ କଣ୍ଟାପାଳ ସମେତ ଜଳେଶ୍ବର ଅଞ୍ଚଳର ୪ଟି ବାଲିଖାଦାନ ଲିଜ୍‌ ସୂତ୍ରରେ ନିଅନ୍ତି। ସେ ମଧ୍ୟ ବିଜେଡି ଦଳର ଜଣେ ଯୁବନେତା ଭାବେ କାର୍ଯ୍ୟ କରୁଛନ୍ତି। ଖଗଡ଼ାପାଳ ପାଣିଗ୍ରାହୀଜୀଉ ଜଗନ୍ନାଥ ମନ୍ଦିରର ସେ ପ୍ରଥମ ସେବକ। ଏପରିକି ସୁବର୍ଣ୍ଣରେଖା ଟ୍ରକ୍‌-ଟିପର ଆସୋସିଏସନ୍‌ର ସଭାପତି ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ସେନେଇ ପୁଲିସ ତଦନ୍ତ କରୁଛି। ବସ୍ତା ଏସ୍‌ଡିପିଓ ରଣଜିତ୍‌ ପୃଷ୍ଟି, ଆଇଆଇସି ପ୍ରଭୂକଲ୍ୟାଣ ଆଚାର୍ଯ୍ୟ ପ୍ରମୁଖ ଗୁଳିକାଣ୍ଡସ୍ଥଳକୁ ଯାଇ ଅଧିକ ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ବ୍ଲକ ଛକ ନିକଟରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦିନ ଦ୍ବିପହରରେ ଦୁବୃର୍ତ୍ତମାନେ ଖଣ୍ଡାରେ ହାଣି ଦେଇଥିଲେ। ଆଜିର ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ଉକ୍ତ ଘଟଣାରେ ଜଡ଼ିତ ଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର