ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ହାତରୁ ଖସିପଡ଼ିଲା ବନ୍ଧୁକ, ଗ୍ରାହକଙ୍କ ଦେହରେ ବାଜିବାରୁ ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର

ପୁରୀ: ପୁରୁଣା ସଦର ଥାନା ଲେନରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଶୁକ୍ରବାର ଅପରାହ୍‌ଣରେ ବନ୍ଧୁକରୁ ଗୁଳି ଫୁଟିବାରୁ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଗୁଳିର ଶିକାର ହୋଇଥିବା ଗ୍ରାହକ ମନାନ ଖାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ବ୍ୟାଙ୍କରେ ମୁତୟନ ସୁରକ୍ଷାକର୍ମୀ ଅଜୟ କୁମାର ମହାରଣାଙ୍କ ହାତରୁ ବନ୍ଧୁକ ଖସିପଡିବାରୁ ତାଙ୍କ ବାମଗୋଡ଼ର ପାଦରେ ଟ୍ରିଗାର ବାଜି ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଅଜୟ ବନ୍ଧୁକକୁ କାନ୍ଧରେ ଝୁଲାଇ ରଖିଥିଲେ କିନ୍ତୁ ଫିତା ଛିଣ୍ଡି ଯିବାରୁ ଏହା ତଳେ ପଡ଼ିଯାଇଥିଲା ଏବଂ ଅଚାନକ ଗୁଳି ବାହାରି ଯାଇଥିଲା। ବନ୍ଧୁକରୁ ଗୁଳି ବାହାରି ଗ୍ରାହକ ମନାନଙ୍କ ଦେହରେ ବାଜିଥିଲା।

ବ୍ୟାଙ୍କ ପରିସରରେ ଅଚାନକ ଗୁଳି ଫୁଟିବା ପରେ କର୍ମଚାରୀ ଓ ଗ୍ରାହକମାନେ ଡରି ଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁରୀ ସିଟି ଡିଏସ୍‌ପି କ୍ଷୀରସାଗର ସେଠୀ ଓ କୁମ୍ଭାରପଡ଼ା ଆଇଆଇସି କୁଳମଣୀ ସେଠୀ ପୁଲିସ ଟିମ୍‌ ସହିତ ଘଟଣାସ୍ଥଳକୁ ପହଂଚିଛନ୍ତି। ପୁଲିସ ମାମଲା ରୁଜୁ କରି ସୁରକ୍ଷାକର୍ମୀ ଅଜୟ କୁମାର ମହାରଣାଙ୍କୁ ଗିରଫ କରିଥିବା ବେଳେ ବ୍ୟାଙ୍କ ସାମ୍ନାରେ ପ୍ରବଳ ଜନଗହଳି ଦେଖାଯାଇଛି।

ସମ୍ବନ୍ଧିତ ଖବର