ଧରାକୋଟ: ପ୍ରେମ ସମ୍ପର୍କରୁ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ୍‌ ଥାନା ଅନ୍ତର୍ଗତ ମୁଣ୍ଡମରେଇ ଗାଁ ନିକଟ ପାହାଡ଼ରୁ ଆଜି ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପୁଲିସ ଜବତ କରିଛି। ଆନ୍ଧ୍ର ବ୍ୟାଙ୍କରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିବାଏହି ଅବିବାହିତ ଯୁବକଙ୍କୁ କେତେକ ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛନ୍ତି। ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ଖବରପାଇ ଧରାକୋଟ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ଧରାକୋଟ୍‌ ଥାନା ଇନ୍‌ସପେକ୍ଟର ଶୁଭଲକ୍ଷ୍ମୀ ପୁଜାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଛତ୍ରପୁର ଅଞ୍ଚଳର ବିନୟ ବେହେରା (୨୭ ବର୍ଷ) ନାମକ ଜଣେ ଯୁବକ ଧରାକୋଟ୍‌ ଥାନା ଅନ୍ତର୍ଗତ ମୁଣ୍ଡମରେଇସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳୁ ମୁଣ୍ଡମରେଇ ପାହାଡ଼ ନିକଟରେ ବିନୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡକୁ ଅତି ବୀଭତ୍ସଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ୩/୪ଜଣଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ବୋଲି ଇନ୍‌ସ୍ସପେକ୍ଟର ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତିି।
ଇନ୍‌ସ୍ସପେକ୍ଟର ଶୁଭଲକ୍ଷ୍ମୀ ପୂଜାରୀ ଙ୍କ ସୂଚନା ଅନୁଯାୟୀ, ବିନୟଙ୍କର ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହି ପ୍ରେମ ସମ୍ପର୍କକୁ ଅନ୍ୟ କେତେକ ବିରୋଧ କରୁଥିଲେ। ତେଣୁ ବିନୟଙ୍କୁ ସେହି କାରଣରୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ ବୋଲି ଇନ୍‌ସ୍ସପେକ୍ଟର ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି।

ସମ୍ବନ୍ଧିତ ଖବର