ଦୁଇ ପିଲାଙ୍କ ମାଆ ଅବିବାହିତ ପ୍ରେମିକ ସହ କଲା ଆତ୍ମହତ୍ୟା

ବରଗଡ଼: ବରଗଡ ଜିଲ୍ଲା ଗ୍ରୀଂଜେଲ ଗ୍ରାମରେ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ରବିବାର ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଗ୍ରୀଂଜାଲ ଗ୍ରାମର ଭାଲୁ ଡୁଙ୍ଗରୀ ନିକଟସ୍ଥ ଏକ ମହୁଲ ଗଛରେ ମହିଳାଙ୍କ ପିନ୍ଧା ଶାଢ଼ୀରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରେ ଗ୍ରାମବାସୀ ପୁଲିସକୁ ଏନେଇ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ନାମ ଗଣେଶ ସେଠ (୨୭) ଓ ବେଲମତୀ ମେହେର ବୋଲି ଜଣାପଡ଼ିଛି।

ଗ୍ରାମବାସୀଙ୍କ କହିବାନୁସାରେ, ପୁଟକା ଗ୍ରାମର ବେଲମତୀ ମେହେରଙ୍କ ବିବାହ ୨୦୧୨ମସିହାରେ ହୋଇଥିଲା। ବିବାହ ପରେ ସେ ଦୁଇଟି ସନ୍ତାନର ମା’ ହୋଇଥିଲେ। ତେବେ ଗ୍ରୀଂଜାଲ ଗ୍ରାମର ଗଣେଶ ସେଠ ନାମକ ଜଣେ ଟ୍ରାକ୍ଟର ଚାଳକଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ଉଭୟଙ୍କ ଏ ସମ୍ପର୍କକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଦେଖା ଦେଇଥାଏ। ଗତକାଲି ମହିଳା ଜଣକ ଘରେ ନଥିବାରୁ ପରିବାର ଲୋକେ ସୋହେଲା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀ ବିଭିନ୍ନ ପ୍ରକାର କଥା କହୁଥିବା ବେଳେ ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ି ନାହିଁ। ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର