ଚକିତ କରିଛି ଚତୁର ଭୋଟିଂ: ବରଗଡ଼ରେ ବିଧାନସଭା ପୋଛି ଲୋକସଭା ହରାଇଲା ବିଜେଡି

କଳାହାଣ୍ଡି, ସମ୍ବଲପୁରରେ ଲୋକସଭାରେ ବି ବିଜେପିର ଚମକ

ସମ୍ବଲପୁର: ଏଥର ଚତୁର (ଟେକ୍ଟିକାଲ) ଭୋଟିଂର ଖେଳ ସମସ୍ତଙ୍କୁ ଚମତ୍କୃତ କରିଛି। ପୂର୍ବରୁ ଅଧିକାଂଶ ଲୋକ ବିଧାନସଭା ଓ ଲୋକସଭାରେ ଗୋଟିଏ ଦଳକୁ ଭୋଟ ଦେଉଥିଲାବେଳେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ଏବେ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ ଭିନ୍ନଭିନ୍ନ ଦଳର ପ୍ରାର୍ଥୀ ଚୟନ କରିବାର ଚାତୁରି ବା ବୁଦ୍ଧିମତା ଦେଖାଇଛନ୍ତି। ତା’ର ପ୍ରତିଫଳନ ମଧ୍ୟ କେତେକ ନିର୍ବାଚନମଣ୍ଡଳୀର ଫଳାଫଳରେ ଦେଖିବାକୁ ମିଳିଛି। ପୂର୍ବରୁ ଏଭଳି ଚତୁର ଭୋଟିଂ କରୁଥିବା ଲୋକଙ୍କ ସଂଖ୍ୟା ଖୁବ କମ ରହୁଥିବାରୁ ତାହା ଭୋଟ ଫଳାଫଳକୁ ପ୍ରଭାବିତ କରିପାରୁ ନଥିଲା। କିନ୍ତୁ ଚଳିତ ନିର୍ବାଚନରେ ଲୋକେ ବହୁ ସଂଖ୍ୟାରେ ଏଭଳି ଭୋଟ କରି ବିଭିନ୍ନ ଦଳର ଗଣିତ ଓଲଟପାଲଟ କରି ଦେଇଛନ୍ତି। ଏହାର ସବୁଠୁ ବଡ଼ ଶିକାର ହୋଇଛନ୍ତି ବିଜେଡି ହେଭିୱେଟ୍‌ ପ୍ରସନ୍ନ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ୭ଟି ଯାକ ବିଧାନସଭା ଆସନ ବିଜେଡି ଜିତିବା ସତ୍ତ୍ୱେ ସାଂସଦ ଆସନ କିନ୍ତୁ ବିଜେପି ହାତେଇ ନେଇଛି।

ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ଅଭିଜ୍ଞ ରାଜନେତା ଶ୍ରୀ ଆଚାର୍ଯ୍ୟଙ୍କୁ ରକ୍ଷା କରି ପାରିଲା ନାହିଁ। ବହୁବାର ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ି କେବେ ଜିତି ନ ଥିବା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ। ବରଗଡ଼ରେ ଉଭୟ ମୋଦୀ ଏବଂ ନବୀନଙ୍କ ଲହରି ପ୍ରବଳ ଭାବେ ଅନୁଭୂତ ହୋଇଥିବା ଆଜିର ଫଳାଫଳରୁ ପ୍ରମାଣିତ ହୋଇଛି। କାରଣ ବିଧାନସଭା ଆସନ ଗୁଡ଼ିକୁ ନବୀନ ପୋଛି ନେଇଥିଲାବେଳେ ଲୋକସଭା ଆସନକୁ ମୋଦୀ ହାତେଇ ନେଇଛନ୍ତି।

ସେହିଭଳି ଚତୁର ଭୋଟିଂର ପ୍ରଦର୍ଶନ କରିଛନ୍ତି କଳାହାଣ୍ଡି ଲୋକସଭା କ୍ଷେତ୍ରର ଭୋଟରମାନେ। ସେଠି ବିଜେଡି ୫ଟି, ବିଜେପି ଓ କଂଗ୍ରେସ ମାତ୍ର ଗୋଟିଏ ଲେଖାଏଁ ବିଧାନସଭା ଜିତିଥିଲାବେଳେ ଲୋକସଭା ଆସନ କିନ୍ତୁ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଜିତି ନେଇଛନ୍ତି। ଏଠାରେ ମଧ୍ୟ ଅଧିକାଂଶ ଲୋକ ବିଧାନସଭା ପାଇଁ ବିଜେଡି ଓ ଲୋକସଭା ପାଇଁ ବିଜେପିକୁ ପସନ୍ଦ କରିଛନ୍ତି। ସମାନ କଥା ଦେଖିବାକୁ ମିଳିଛି ବଲାଙ୍ଗୀରରେ। ଏଠାରେ ବିଜେଡି ୪ଟି, କଂଗ୍ରେସ୍‌ ୨ଟି ଓ ବିଜେପି ମାତ୍ର ଗୋଟିଏ ଆସନ ଜିତିଛିଯ ଏହା ସତ୍ତ୍ୱେ ଲୋକସଭା ଆସନ କିନ୍ତୁ ବିଜେପି ଖାତାକୁ ଯାଇଛି।

ସମ୍ବଲପୁର ସଂସଦୀୟ କ୍ଷେତ୍ରର ୪ଟି ବିଧାନସଭା ବିଜେଡି ଓ ୩ଟି ବିଜେପି ହାତକୁ ଯାଇଥିଲାବେଳେ ଏଠି ମଧ୍ୟ ଲୋକସଭା ଆସନ ବିଜେପି ହାତେଇଛି। ଏଠାରେ ସମ୍ବଲପୁର, ଦେବଗଡ଼ ଓ ରେଂଗାଲି ଆସନରେ ବିଜେପି ଜିତିଥିଲେ ବି ବିଧାନସଭା ପ୍ରାର୍ଥୀ ତୁଳନାରେ ଲୋକସଭା ପ୍ରାର୍ଥୀ ଯଥେଷ୍ଟ ଅଧିକ ଭୋଟ ପାଇଛନ୍ତି। କୁଚିଣ୍ଡାରେ ବିଧାନସଭା ଆସନ ବିଜେଡି ଜିତିଥିଲେ ବି ଲୋକସଭାରେ ବିଜେପି ପ୍ରାର୍ଥୀ ବିଜେଡି ତୁଳନାରେ ୮ ହଜାରରୁ ଅଧିକ ଭୋଟ ପାଇଛନ୍ତି। ରୋଖୋଲରେ ବିଜେଡି ବିଧାୟକ ପ୍ରାର୍ଥୀ ୧୪ ହଜାରରୁ ଅଧିକ ଭୋଟରେ ଜିତିଥିଲାବେଳେ ଲୋକସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହି ବ୍ୟବଧାନ ୪ ହଜାରରୁ ବି କମ୍‌ ରହିଛି। ଏହି ୫ଟି ଯାକ ଆସନରେ ଚତୁର ଭୋଟିଂ ଯୋଗୁଁ ଅନୁଗୁଳ ଜିଲ୍ଲାର ଦୁଇ ଆସନ ଆଠମଲ୍ଲିକ ଓ ଛେଣ୍ଡିପଦାରେ ବିଶାଳ ବ୍ୟବଧାନ ସତ୍ତ୍ୱେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଏହି ଦୁଇ ଆସନରେ ନଳିନୀ ବିଜେପି ପ୍ରାର୍ଥୀ ନିତେଶଙ୍କ ତୁଳନାରେ ୬୬ ହଜାରରୁ ଅଧିକ ଭୋଟ ପାଇଥିଲେ। ଏହି କାରଣରୁ ମଧ୍ୟ ଗତଥର ନଗେନ୍ଦ୍ର ପ୍ରଧାନଙ୍କଠାରୁ ସୁରେଶ ପୂଜାରୀ ପରାଜିତ ହୋଇଥିଲେ।

ସମ୍ବନ୍ଧିତ ଖବର