ବରଗଡ଼: ବାଘ ମୃତ୍ୟୁ ଘଟଣାରେ ୪ ଗିରଫ, ବାଘର ପଞ୍ଜା ଓ ନିଶ ଜବତ

ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟ ନିକଟ ଜଙ୍ଗଲରୁ କିଛି ଦିନ ତଳେ ବାଘର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ରବିବାର ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ପୁଲିସ ବାଘର ପଞ୍ଜା ଏବଂ ନିଶ ମଧ୍ୟ ଜବତ କରିଛି ବୋଲି ଏସିଏଫ୍‌ ମଦନଲାଲ ଶର୍ମା ସୂଚନା ଦେଇଛନ୍ତି।

ପୂର୍ବରୁ ଏହି ଘଟଣାରେ ବନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଏବଂ ଖଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ବରଗଡ଼ ଡିଏଫଓ ନିଲମ୍ବନ କରିଛନ୍ତି। ଡ୍ୟୁଟି ସମୟରେ ବନ ବିଭାଗର ଏହି ୨  କର୍ମଚାରୀ ଅବହେଳା ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ବନ ବିଭାଗ ବାଘର ଗଳିତ ଶବର କିଛି ଅଂଶ ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ଵାଇଲଡ୍‌ଲାଇଫକୁ ପଠାଇଥିଲା। ରିପୋର୍ଟ ଆସିବା ପରେ ଏହା ଏକ ମହାବଳ ବାଘ ବୋଲି ଜଣାପଡ଼ିଛି।  ବନ ବିଭାଗର କାର୍ଯ୍ୟାନୁଷ୍ଠାନ ନେଇ ଚିଫ ଓ୍ଵାଇଲ୍ଡ ଲାଇଫ ଓ୍ଵାର୍ଡେନ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏନ୍‌ଟିସିଏ ଗାଇଡଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଉଛି। ସୂଚନାଯୋଗ୍ୟ ଭେଡେନ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟରେ ବୁଦ୍‌ବୁଦିଆ ଜଙ୍ଗଲରୁ ବାଘର ଗଳିତ ମୃତଦେହ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର