ମାଓ ବ୍ୟାନର୍ ପରେ: ଛତିଶଗଡ଼ ପୁଲିସର ପାଟ୍ରୋଲିଂ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଦେଚୁଆଁ-ଜୁନାନୀ ଗାଁ ପାଖରୁ ମାଓ ବ୍ୟାନର ଜବତ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି। ଏହାର ପ୍ରଭାବ ସୀମାନ୍ତବର୍ତୀ ଛତିଶଗଡ଼ର ଗାଁ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି। ଛତିଶଗଡ଼ର ସରିଅା, ବରମକେଲା, ପୁସୌର, ଡୁଂଗୁରିପାଲି, ଚନ୍ଦ୍ରପୁର, ରାୟଗଡ଼, ସାରଂଗଗଡ଼ରେ ସେଠାକାର ପୁଲିସ୍ କଡ଼ା ପାଟ୍ରୋଲିଂ କରୁଛି। ସୀମାନ୍ତବର୍ତୀ କେକାଡ଼ି ନାଳା ଉପରେ ପ୍ରତି ଗାଡ଼ି ଏବଂ ଯାତ୍ରୀଙ୍କ ଯାଂଚ ଚାଲିଛି। ଏପରିକି ପର୍ଯ୍ୟଟନସ୍ଥଳୀ ଚନ୍ଦ୍ରହାସିନୀ ଯାଉଥିବା ଗାଡ଼ିକୁ ଅଟକାଇ ଯାଂଚ କରୁଛି। ଫଳରେ ଏହି ତନଖି ପାଇଁ ଶହଶହ ଗାଡ଼ି ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାରୁ ଟ୍ରାଫିକ ସମସ୍ୟା ଉପୁଜିଛି। ଅନ୍ୟପକ୍ଷରେ ବରଗଡ଼ ପୁଲିସ୍ ଏବେ ଡେବ୍ରିଗଡ଼ ଏବଂ ବାରବାହାଡ଼ ଅଂଚଳରେ ମାଓ ଗତିବିଧି ଉପରେ କଡ଼ା ନଜର ରଖିଛି। ଲଖନପୁର ଆଇଆରବିରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଅମ୍ବାଭୋନା ଥାନାରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ମାଓ ପୋଷ୍ଟର ଅସଲି ନା ନକଲି, ତାକୁ ନେଇ ନାନାଦି ଚର୍ଚ୍ଚା ହେଉଛି। ତେବେ କେଇ ଦିନ ତଳେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ଗାଁରେ ପ୍ରଚାରପତ୍ର ବାଣ୍ଟିଥିବାରୁ ପୋଷ୍ଟର ମଧ୍ୟ ମାଓବାଦୀ ଲଗାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର