୨୦୦୮ ଅତାବିରା ବ୍ଲକ ଅଫିସ ଭଂଗାରୁଜା ମାମଲା :ପ୍ରମାଣ ଅଭାବରୁ ୯ ନିର୍ଦୋଷରେ ଖଲାସ

ଅତାବିରା:୧୦ ବର୍ଷ ତଳେ ୨୦୦୮ ଡିସେମ୍ବର ୨୩ ତାରିଖ ବ୍ଲକ ଅଫିସ ଲୋକ ପ୍ରତିନିଧିମାନଙ୍କ ଦ୍ଵାରା ଭଂଗାରୁଜା ମାମଲାରେ ଅତାବିରା ଗ୍ରାମ ନ୍ୟାୟାଧିକାରୀ ତଥା ଅତାବିରା ଜେଏମ୍‌ଏଫସିଙ୍କ କୋର୍ଟରେ ପ୍ରମାଣ ଅଭାବରୁ ତତ୍କାଳୀନ ୨ଜଣ ଜିଲ୍ଲା ପରିଷଦ, ୪ଜଣ ସମିତି ସଭ୍ୟଙ୍କ ସମେତ ୯ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଯେ, ଉନ୍ନୟନ କାମରେ ବ୍ଲକ ପ୍ରଶାସନ ପକ୍ଷରୁ ଅନିୟମିତତା ଅଭିଯୋଗ ଆଣି କିଛି ଲୋକ ବ୍ଲକ ଅଫିସରେ ଚୌକି, ଆସବାବ ପତ୍ର ଭାଂଗି ଥିଲେ। ତତ୍କାଳୀନ ବିଡିଓ ନରେଶ ସିଂବରିହାଙ୍କ ସମେତ ୨୮ଜଣ ବ୍ଲକ କର୍ମଚାରୀ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅତାବିରା ଥାନା କେସ ନଂ-୨୧୮ରେ ପୁଲିସ ମାମଲା ରୁଜୁ କରି ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ବେହେରା, କେ ୱାରାପ୍ରସାଦ(ସେଠୁ), କୁଲୁଣ୍ଡା ସମିତି ସଭ୍ୟ ପ୍ରମୋଦ ରଥ, ସିଲେଟ ସମିତି ସଭ୍ୟ ଯୋଗେନ୍ଦ୍ର ଥପା, ଲଚିଦା ସମିତି ସଭ୍ୟ ପଲସ୍ତି ପାଣ୍ଡେ, ହିର୍ଲିପାଲି ସମିତି ସଭ୍ୟ ପଙ୍କଜ ପଧାନ, କିଶୋର ଭୋଇ, ବ୍ରଜମୋହନ କଲେତ, ସୁଦାମ ଭୋଇଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା। ନ୍ୟାୟାଳୟ ପ୍ରମାଣ ଅଭାବରୁ ସମସ୍ତ ୯ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଶିରିଶ ବଲ୍ଲଭ ମିଶ୍ର, ରବିନାରାୟଣ ପଣ୍ଡା, ସୁଜ୍ଞାନ୍ତ ପାଣିଗ୍ରାହୀ, ଅଶୋକ ପଣ୍ଡା, ଜୟରାମ ଦୀପ ତାଙ୍କ ସହଯୋଗୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର