୩ ଦିନ ୩ ଅପରାଧ: ଚୋଳମଣ୍ଡଳମ୍‌ରୁ ଚତୁର ଚୋରି

ଟଙ୍କା ସହ ସିସିଟିଭି ହାର୍ଡଡିସ୍କ ବି ପାର୍‌

ବରଗଡ଼: ତିନି ଦିନ ଭିତରେ ୩ଟି ଅପରାଧ। ସଶସ୍ତ୍ର ଡକାୟତି, ଗହଣା ଧରି ଚମ୍ପଟ ଏବେ ଲକର୍‌ ଭାଂଗି ଟଙ୍କା ଚୋରି। ଲଗାତାର ଅପରାଧ ବରଗଡ଼ ପୁଲିସ୍‌ର ନିଦ ହଜାଇ ଦେଇଛି। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପୂର୍ବରୁ ଅପରାଧୀମାନେ ଆଉ ଏକ କାଣ୍ଡ ଘଟାଇ ଫେରାର୍‌ ମାରୁଛନ୍ତି। ବୁଧବାର ରାତିରେ ପୁଲିସ୍‌କୁ ପୁଣି ଥରେ ଚ୍ୟାଲେଞ୍ଜ ଦେଇ ଚୋରମାନେ ଚୋଳମଣ୍ଡଳମ୍‌ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଦପ୍ତରରେ କଳାକନା ବୁଲାଇ ଦେଇଛନ୍ତି। ସ୍ଥାନୀୟ ବାନ୍ଦୁଟିକ୍ରା ଛକ ପାଖରେ ଥିବା କୋଠାର ତୃତୀୟ ମହଲାରେ ରହିଛି ଚୋଳମଣ୍ଡଳମ୍‌ ଦପ୍ତର। ଗୁରୁବାର ସକାଳୁ କର୍ମଚାରୀମାନେ ଅଫିସ୍‌ରେ ପହଂଚିବା ବେଳକୁ ଗ୍ରିଲ୍‌ ଭଂଗା ହୋଇଥିବା ଦେଖିଥିଲେ। ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଏବଂ ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞ ଘଟଣାସ୍ଥଳରେ ପହଂଚିଥିଲେ। ଚୋରମାନେ ଅତି ଚତୁରତାର ସହ ଅଫିସ୍‌ର ଲକର୍‌ରୁ ୬୫ହଜାର ଟଙ୍କା ନେଇ ପଳାଇଥିବା ଜଣାପଡ଼ିଥିଲା। ପ୍ରଥମେ ଦ୍ୱିତୀୟ ମହଲାରେ ଥିବା ପାଥୋଲାବ୍‌ର ଗ୍ରିଲ୍‌ ଭାଂଗି ଦେଇଥିଲେ। ସେଠାରୁ କିଛି ନମିଳିବାରୁ ଉପର ମହଲାକୁ ଯାଇଥିଲେ। ମୁଖ୍ୟ ଗ୍ରିଲ୍‌ ଭାଂଗି ଚୋଳମଣ୍ଡଳମ୍‌ ଅଫିସ୍‌ରେ ଦାଖଲ ହୋଇଥିଲେ। ପ୍ରଥମେ ସେମାନେ କ୍ୟାସ୍‌ କାଉଣ୍ଟରକୁ ଛିନ୍‌ଭିନ୍‌ କରି ପକାଇଥିଲେ। ଭିତରେ ଥିବା ସିସିଟିଭିକୁ ଉପରମୁହାଁ କରି ଦେଇଥିଲେ। ଶାଖା ପ୍ରବନ୍ଧକଙ୍କ ଟେବୁଲ ଡ୍ରୟର୍‌ରୁ ଚାବି ବାହାର କରି ଅନାୟାସରେ ଟ୍ରେଜେରି ଖୋଲିଥିଲେ। ଭିତରୁ ୬୫ ହଜାର ଟଙ୍କା ନଗଦ ଧରି ଚମ୍ପଟ ମାରିଥିଲେ।

ଫେରାର୍‌ ମାରିବା ପୂର୍ବରୁ ଚୋରମାନେ ସିସିଟିଭି ହାର୍ଡଡିସ୍କକୁ ନେଇ ପଳାଇଥିଲେ। ଫଳରେ ପୁଲିସ୍‌ ଚୋର ଧରିବା ପାଇଁ କିଛି ଫୁଟେଜ୍‌ ବି ପାଇନାହିଁ। ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞମାନେ ଯାଂଚ କରିଥିଲେ ହେଁ କିଛି ସୁରାକ ମିଳିନଥିଲା। ସମ୍ଭବତଃ ଚୋରମାନେ ଗ୍ଲୋବ୍‌ସ ଲଗାଇ ଏହି କାରନାମା ଘଟାଇଛନ୍ତି ବୋଲି ପୁଲିସ୍‌ ଅନୁମାନ କରୁଛି। ସଦର ଥାନା ଅଧିକାରୀ ମମତା ନାଏକ, ଟାଉନ ଥାନା ଏସ୍‌ଆଇ ସନୟ ନାୟକ ଛାନଭିନ୍‌ କରିଥିଲେ ହେଁ କିଛି ଠୋସ୍‌ ତଥ୍ୟ ମିଳିପାରିନାହିଁ। ଟାଉନ ପୁଲିସ୍‌ ମାମଲା ରୁଜୁ କରି ତନାଘନା ଚଳାଇଛି। ସୂଚନାଯୋଗ୍ୟ, ମଂଗଳବାର ପାହାନ୍ତାରେ ବ୍ରହ୍ମବିହାରରେ ସଶସ୍ତ୍ର ଡକାୟତି ହୋଇଥିଲା। ଅପରାଧୀମାନେ ୧୨ଭରି ସୁନା ଗହଣା ସହ ୫ହଜାର ନଗଦ ଟଙ୍କର ନେଇଯାଇଥିଲେ। ଏହାର ପରଦିନ ମାଷ୍ଟରଟିକ୍ରା ଠାରେ ଗହଣା ସଫେଇ ଆଳରେ ଲୁଟିଆମାନେ ସାଢ଼େ ୩ଭରି ଓଜନର ଅଳଂକାର ଧରି ଚମ୍ପଟ ମାରିଥିଲେ।
ନୂଆ ଥାନାବାବୁ ଆସିବେ ବୋଲି!
ବରଗଡ଼ ଟାଉନ ଥାନା ଅଧିକାରୀ ରାଜକିଶୋର ମିଶ୍ର ପଦୋନ୍ନତି ପାଇଁ ରିଲିଭ ହୋଇ ସାରିଲେଣି। ତାଙ୍କ ଯାଗାରେ ନୂଆ ଥାନା ବାବୁ ଆସିବେ। ହେଲେ କେହି ଦାୟିତ୍ୱ ଭାର ନେବା ପୂର୍ବରୁ ଚୋରମାନେ ପୁଲିସ୍‌ ଆଗରେ ଖୋଲା ଚ୍ୟାଲେଞ୍ଜ ରଖି ଦେଇଛନ୍ତି। ନୂଆ ଥାନା ବାବୁ ଆସିବା ପୂର୍ବରୁ ସହରରେ ଏଭଳି ସିରିଜ୍‌ ଅପରାଧ ଘଟିଥିବା ନଜିର ରହିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର