ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା : ୬ ଗିରଫ

ପଦ୍ମପୁର : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଖଇରା ଡ୍ୟାମ ନିକଟରେ ଜଣେ ଛାତ୍ରୀ ଓ ଦୁଇ ଜଣ ଯୁବକଙ୍କୁ ଦେଖିଲା ପରେ କିଛି ଯୁବକ ଅସଦଚାରରଣ କରିବା ସହ ମାଡ଼ ମାରିଥିଲେ। ଜଣେ ଅଭିଯୁକ୍ତ ହୁତାସନ ହାତୀ ଏହାକୁ ମୋବାଇଲରେ ଭିଡିଓ କରି ସବୁଆଡ଼େ ଭାଇରାଲ କରିଥିଲେ। ଘଟଣାରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ରବିବାର ପଦ୍ମପୁର ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୪.୧୦.୧୭ ତାରିଖରେ ଜଣେ ଛାତ୍ରୀ ଦୁଇ ଜଣ ସଂପର୍କୀୟଙ୍କ ସହ ବାଇକରେ ଡ୍ୟାମ ପଟେ ଯାଇଥିଲେ। ବାଇକ୍‌ ଆରୋହୀ ଉକ୍ତ ଛାତ୍ରୀ ଓ ଅନ୍ୟ ଯୁବକଙ୍କୁ ଜଙ୍ଗଲ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ସେଠାରେ ଭୋଜି କରୁଥିବା ୮-୧୦ ଜଣ ଯୁବକ ସେମାନଙ୍କୁ ପ୍ରେମୀଯୁଗଳ ଭାବି ଆକ୍ରମଣ କରିବା ସହ ଗାଳିଗୁଲଜ କରି ଛାତ୍ରୀ ଜଣଙ୍କୁ ଟଣାଓଟରା କରିଥିଲେ। ଏହା ପରେ ବି ଛାତ୍ରୀ ଜଣକ କାହାକୁ କିଛି କହି ନଥିବା ବେଳେ ଖଇରା ଗାଁର ହୁତାଶନ ହାତୀ (୨୪) ଏହି ଘଟଣାର ଚିତ୍ର ମୋବାଇଲ ମାଧ୍ୟମରେ ବୁକୁରାମୁଣ୍ଡା ଗାଁର ନୂତନ ବାରିକ (୩୮)ଙ୍କ ପାଖକୁ ପଠାଇଥିଲା। ପରେ ଏହା ଟିଭି ଚ୍ୟାନେଲର ମଧ୍ୟ ଦୃଶ୍ୟମାନ ହୋଇଥିଲା।

ଏହାପରେ ପୁଲିସ୍‌ ଡିଜି ଓ ବରଗଡ଼ ଏସ୍‌ପି ପାଇକମାଳ ଥାନାଧିକାରୀଙ୍କୁ ଏ ଘଟଣା ସଂପର୍କରେ ଏକ କେସ୍‌ ରୁଜୁ କରିବାକୁ ନିର୍ଦେଶ ଦେଇଥିଲେ। ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଆଇଆଇସିଙ୍କୁ ନେଇ ପଦ୍ମପୁର ଏସଡିିପିଓ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ୨ ତାରିଖ ରାତିରେ ୬ ଜଣ ଅଭିଯୁକ୍ତ ଖଇରା ଗାଁର ହୁତାସନ ଭୋଇ ସହ ନୂତନ ବାରିକ, ଅଜିତ ବାରିକ (୨୮), ଜୟପ୍ରକାଶ ଭୋଇ (୩୧), ଉମାକାନ୍ତ ଭୋଇ (୩୯), ହିତେଶ ବାରିକ (୧୮)ଙ୍କୁ ପୁଲିସ୍‌ ଗିରଫ କରିଥିଲା। ପାଇକମାଳ ଥାନା କେସ୍‌ ନଂ ୧୮୧/୨.୧୨.୧୭ ଆଇପିସି ଧାରା ୩୪୧/୩୫୪/୩୫୪ବି ୩୪/୬୬ଏ ୬୭ ୨୦୦୮ ଜରିଆରେ ମାମଲା ରୁଜୁ ହୋଇଛି। ପାଇକମାଳ ଏଏସଆଇ ସନ୍ତୋଷ ସାହୁଙ୍କ ଅଭିଯୋଗରେ ପାଇକମାଳ ଆଇଆଇସି ଏ. ନାୟକ ମାମଲାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର