କଂସା ବାସନ ଦୋକାନରୁ ୬ ଲକ୍ଷର ସାମଗ୍ରୀ ଚୋରି

ବରପାଲି: ବରପାଲି କଲେଜ ରୋଡ଼ରେ ଥିବା ମହାଲକ୍ଷ୍ମୀ ସାଜୋ କଂସା ବାସନ ଦୋକାନରୁ ମଙ୍ଗଳବାର ରାତିରେ ୬ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ ମାଲିକ ରୋହିତ ପାତ୍ର ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ଆସି ଦୋକାନ ଖୋଲିବା ପରେ ଘରର ପଛ ପଟ କାନ୍ଥ ଭଙ୍ଗା ହୋଇଥିବା ଓ ଭିତରେ ସାମଗ୍ରୀ ସବୁ ଏଣେ ତେଣେ ପଡ଼ିଥିବା ଦେଖି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ତାଙ୍କ ସାନ ଭାଇ ସ୍ଥାନୀୟ ବଣିକ ସଂଘକୁ ଖବର ଦେବା ପରେ ସଂଘର ସଭ୍ୟମାନେ ପହଞ୍ଚିଥିଲେ। ପରେ ଥାନାକୁ ଖବର ଦିଆଯାଇଥିଲା। ପୁଲିସ୍‌ ପହଞ୍ଚି ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରିଥିଲେ ହେଁ ଚୋର ଓ ଚୋରି ସାମଗ୍ରୀର କୌଣସି ପତ୍ତା ମିଳି ନାହିଁ। ଦୋକାନରୁ ପ୍ରାୟ ୬ ଲକ୍ଷ ଟଙ୍କାର କଂସ, ପିତ୍ତଳ ବାସନ ସାମଗ୍ରୀ ଚୋରି ହୋଇଥିବା ଶ୍ରୀ ପାତ୍ର ଏତଲାରେ ଦର୍ଶାଇଛନ୍ତି। ପୁଲିସ୍‌ ତତ୍ପରତା ଦେଖାଇ ତୁରନ୍ତ ଚୋରଙ୍କୁ ଗିରଫ କରୁ ବୋଲି ବଣିକ ସଂଘ ସଦସ୍ୟଙ୍କ ସହ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର