ମଧ୍ୟାହ୍ନ ଭୋଜନ ପରେ ବୁଲାବୁଲି କରୁଥିବା ବେଳେ କୁଅରେ ପଡ଼ି ଛାତ୍ରୀ ମୃତ, କ୍ଷତିପୂରଣ-କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

ବରଗଡ଼: ମଧ୍ୟାହ୍ନ ଭୋଜନ ପରେ ବୁଲାବୁଲି କରୁଥିବା ବେଳେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀ କୂଅରେ ପଡ଼ି ଜୀବନ ହରାଇଛି। ମଙ୍ଗଳବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଅମ୍ବାଭନା ଥାନା ଅନ୍ତର୍ଗତ ପ୍ରକାଶପୁର ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀ ଛାତ୍ରୀ ରଚିତା ପଟେଲ କାଳ କୂଅର ଶିକାର ହୋଇଛି।

ଆଜି ମଧ୍ୟାହ୍ନ ଭୋଜନ ପରେ ଗାଁର ରାମ କିଶୋର ପଟେଲଙ୍କ ଝିଅ ରଚିତା ସ୍କୁଲ ପାଚେରୀ ବାହାରକୁ ଯାଇଥିଲା। ବୁଲାବୁଲି କରୁଥିବା ବେଳେ ସେ ବ୍ଲକ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲା। ବହୁ ସମୟ ଧରି ରଚିତା ବିଦ୍ୟାଳୟକୁ ନଫେରିବାରୁ ସ୍କୁଲ ଶିକ୍ଷକମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଏହା ପରେ ପରିତ୍ୟକ୍ତ କୂଅରୁ ରଚିତାଙ୍କ ମୃତଦେହ ଠାବ ହୋଇଥିଲା। ସୂଚନା ମିଳିବା ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ଏଣେ ଗାଁ ଲୋକେ କ୍ଷତିପୂରଣ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାର ନେବା ପାଇଁ ବରଗଡ଼-ଛତିଶଗଡ଼ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ସେମାନେ ଘଟଣାର ତଦନ୍ତ ଦାବି କରିବା ସହିତ ଅବ୍ୟବସ୍ଥିତ ସ୍କୁଲ ପରିଚାଳନା ଯୋଗୁଁ ଛାତ୍ରୀଙ୍କର ଜୀବନ ଯାଇଛି ବୋଲି ଅଭିଯୋଗ ଆଣିିଛନ୍ତି। ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି।

ସମ୍ବନ୍ଧିତ ଖବର