ଅତିରିକ୍ତ ନିର୍ଦେଶକଙ୍କ ସମୀକ୍ଷା :ବରଗଡ଼ରେ କ୍ୟାନସର ହସ୍ପିଟାଲ ସମ୍ଭାବନା

ବରଗଡ଼: ଭଟିଣ୍ଡା ପରେ ଭାରତର ଦ୍ବିତୀୟ କ୍ୟାନସର ପ୍ରବଣ ଇଲାକା ଭାବେ ବରଗଡ଼ ଜିଲ୍ଲା ପରିଚିତ। କ୍ୟାନସର ରୋଗୀ ଘନତ୍ବ ଦୃଷ୍ଟିରୁ ବରଗଡ଼ ଜିଲ୍ଲାରେ ଗୋଟିଏ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ନିକଟ ଅତୀତରେ ଗୋଟିଏ ପ୍ରତିନିଧି ଦଳ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ବିସ୍ତୃତ ଆଲୋଚନା ବି କରିଛି। ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ବେଳେ କ୍ୟାନସର ହସ୍ପିଟାଲ ପାଇଁ ଘୋଷଣା ହେବା ସମ୍ଭାବନା ରହିଛି। ବୁଧବାର ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡା. ରଶ୍ମିରଂଜନ ଶତପଥୀଙ୍କ ବରଗଡ଼ ଗସ୍ତ ଏହି ସମ୍ଭାବନାକୁ ଆହୁରି ଦୃଢ଼ୀଭୂତ କରିଛି। ଡା. ଶତପଥୀ ନିଜ ଗସ୍ତ କାଳରେ ବରଗଡ଼ ଜିଲ୍ଲାରେ କ୍ୟାନସର ସ୍ଥିତି ସମୀକ୍ଷା କରି ଫେରିଛନ୍ତି। ସମୀକ୍ଷା ବେଳେ ବିଧାୟକ ଦେବେଶ ଆଚାର୍ଯ୍ୟ, ସିଡିଏମ୍ଓ ଡା. ନନ୍ଦକିଶୋର ପାଢ଼ୀଙ୍କ ସମେତ ବରିଷ୍ଠ ଚିକିତ୍ସାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବରଗଡ଼ଠାରେ କ୍ୟାନସର ହସ୍ପିଟାଲ ସ୍ଥାପନ ନିଶ୍ଚିତ ବୋଲି ପରୋକ୍ଷରେ ଇଂଗିତ ମିଳିଛି। ଏହି ହସ୍ପିଟାଲ କେଉଁ ଧରଣର ହେବ ସେନେଇ ଅତିରିକ୍ତ ନିର୍ଦ୍ଦେଶକ ଡା. ଶତପଥୀ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଏହି ହସ୍ପିଟାଲରେ ରେଡିଓଥେରାପି, କେମୋଥେରାପି ଏବଂ କ୍ୟାନସର ଚିହ୍ନଟ ଆଦି ସୁବିଧା ଉପଲବ୍ଧ ରହିବ। ସମ୍ଭବତଃ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବରଗଡ଼ରେ ଏଲ୍-୨ ଶ୍ରେଣୀର ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା କରି ପାରନ୍ତି। ଅନ୍ୟପକ୍ଷରେ ଖୁବ ଶୀଘ୍ର ଜିଲ୍ଲାର କ୍ୟାନସର ରୋଗୀଙ୍କ ସଂପର୍କରେ ସବିଶେଷ ତଥ୍ୟ ସିଡିଏମ୍ଓଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ଏହାପରେ କ୍ୟାନସରର କାରଣ ସଂପର୍କରେ ଗବେଷଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର