ପୁଣି ୨ ଗିରଫ, ୮ ଜଣଙ୍କୁ ଜେଲ୍‌ ପଠାଗଲା

ଛାତ୍ରୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ୍‌ ଘଟଣା

ପଦ୍ମପୁର : ବରଗଡ଼ ଜିଲ୍ଲା ପାଇକମାଲ ଥାନା ଖଇରା ଡ୍ୟାମ୍‌ ନିକଟରେ ଜଣେ ଛାତ୍ରୀ ଓ ଯୁବକଙ୍କୁ ଅସଦାଚରଣ ଘଟଣାରେ ପୁଲିସ୍‌ ସୋମବାର ପୁଣି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବୁକୁରାମୁଣ୍ଡା ଗାଁର ଜିତୁ ବେହେରା ଓ ମୁରଲୀ ବାରିକ।

ସୂଚନାଥାଉ କି ଉକ୍ତ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ତଥା ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରଦର୍ଶିତ ହେବା ପରେ ପୁଲିସ୍‌ ତତ୍ପରତା ଦେଖାଇଥିଲା। ଉଚ୍ଚାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପାଇକମାଲ ଥାନାରେ ମାମଲା ରୁଜୁ ହେବା ସହ ରବିବାର ଖଇରା ଗାଁର ହୁତାଶନ ହାତୀ, ବୁକୁରାମୁଣ୍ଡା ଗାଁର ଅଜିତ ବାରିକ, ଜୟପ୍ରକାଶ ଭୋଇ, ଉମାକାନ୍ତ ଭୋଇ, ହିତେଶ ବାରିକ, ନୂତନ ବାରିକ ପ୍ରମୁଖ ୬ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା।

ସୋମବାର ସମସ୍ତ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପାଇକମାଲ ଥାନା ଆଇଆଇସି ଏ. ନାଏକ ମାମଲାର ତଦନ୍ତ କରୁଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର