ଜୋରରେ ଚାଲିଛି କଟ୍‌ନି ଛଟ୍‌ନି:ଖଳାରେ ଦଲାଲ୍‌ ସକ୍ରିୟ

ବରଗଡ଼: ଲଗାତାର ମରୁଡ଼ି ଏବଂ ଚକଡ଼ା ପୋକ ଯୋଗୁଁ ଜିଲ୍ଲାର ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ରବିଋତୁରେ ଚାଷୀ ପୂର୍ବ କ୍ଷୟକ୍ଷତିକୁ ସାମାନ୍ୟ ଲାଘବ କରିବାକୁ ଚେଷ୍ଟା କରୁଥିବାବେଳେ କାଳବୈଶାଖୀ ଏବଂ କରକାପାତ ସବୁ ବିଗାଡ଼ି ଦେଇଛି। ଜିଲ୍ଲାରେ ମେ’ ମାସ ପହିଲା ସପ୍ତାହରୁ ଧାନ କିଣା ଆରମ୍ଭ ହୋଇଛି। କିନ୍ତୁ ମାସ ପହିଲାରୁ ବାରମ୍ବାର କାଳବୈଶାଖୀ ବର୍ଷା ଲାଗି ରହୁଛି। ଯାହା କିଛି ଫସଲ ବଂଚିଛି, ତାକୁ ଚାଷୀନେଇ ମଣ୍ଡିରେ ପହଂଚୁଛି। ହେଲେ ଧାନର କଟନି ଛଟନି ଯୋଗୁଁ ଚାଷୀମାନେ ଆହୁରି ଶୋଷଣର ଶିକାର ହେଉଛନ୍ତି। ମୁନାଫାଖୋର ମିଲର୍ସ ଏବଂ ଦଲାଲମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଧାନର ନିର୍ଦ୍ଧାରିତ ମୂଲ୍ୟଠାରୁ ଢେର କମ୍‌ ପଇସା ପାଉଛି। ଫଳରେ ଧାନବିକ୍ରି ପ୍ରକ୍ରିୟାରେ ଯେତେ ସୁଧାର ଆଣିବାକୁ ସରକାର ଏବଂ ପ୍ରଶାସନ ଚେଷ୍ଟା କଲେ ବି କଟ୍‌ନି ଛଟ୍‌ନି ପୂର୍ବ ଭଳି ଲାଗି ରହିଛି। ଜଣାଶୁଣା ଚାଷୀଙ୍କୁ ବାଦ୍‌ ଦେଲେ ଅଗଣିତ ଚାଷୀ ମିଲର୍ସ ଏବଂ ଦଲାଲଙ୍କ ହାବୁଡ଼ରେ ପଡ଼ି ସ୍ୱଳ୍ପ ଦରରେ ଧାନ ବିକ୍ରି କରୁଛନ୍ତି। ବିଭିନ୍ନ ମାର୍କେଟ ୟାର୍ଡକୁ ଦୈନିକ ହଜାର ହଜାର ଟନ୍‌ ଧାନ ଆସୁଛି।

୧୭ ଏଫ୍‌ଏକ୍ୟୁ ମାନ ବିଶିଷ୍ଟ ଧାନ ପାଇଁ ୧୫୫୦ ଟଙ୍କା (କ୍ୱିଣ୍ଟାଲ ପିଛା) ମୂଲ୍ୟ ନିର୍ଧାରଣ କରାଯାଇଛି। ହେଲେ ଅଚାନକ ବର୍ଷା ଯୋଗୁଁ ଚାଷୀ ଠିକଣା ସମୟରେ ବିଲରୁ ଧାନ ଉଠାଇ ପାରିନଥିଲେ। ଧାନ ବର୍ଷାରେ ଭିଜିବା ଯୋଗୁଁ ଆର୍ଦ୍ରତା ବଢ଼ି ଯାଇଛି। ଫଳରେ ୟାର୍ଡକୁ ଆସୁଥିବା ଧାନର ଏଫ୍‌ଏକ୍ୟୁ ମାନ ହାରାହରି ୨୦-୨୧ ଉପରେ ରହୁଛି। ତେଣୁ କ୍ୱିଣ୍ଟାଲ ପିଛା କିଲେ ହିସାବରେ କଟ୍‌ନି ଛଟ୍‌ନି ଚାଲିଛି। ବିଲ ଏବଂ ରାସ୍ତାରେ ଶୁଖୁଥିବା ଧାନ ଉଠାଇବାକୁ ମିଲର୍ସମାନେ ଇଚ୍ଛା କରୁନାହାନ୍ତି। ଫଳରେ ଚାଷୀମାନେ ସ୍ୱଳ୍ପ ମୂଲ୍ୟରେ ଦଲାଲମାନଙ୍କୁ ଧାନ ବିକ୍ରି କରୁଛନ୍ତି। ଚାଷୀଙ୍କ ବିପଦ ବେଳାରେ ମିଲର୍ସମାନେ ମଧ୍ୟ ହାତ ଟେକି ଦେଉଛନ୍ତି।

ଯାହାର ନିଦର୍ଶନ ଅତାବିରା ମାର୍କେଟ ୟାର୍ଡରେ ଗତ ୩/୪ ଦିନ ହେଲା ଦେଖିବାକୁ ମିଳିଥିଲା। ଭିଜା ଧାନର ଆର୍ଦ୍ରତା ବୃଦ୍ଧି ପାଇଥିବାରୁ ୟାର୍ଡକୁ ମିଲର୍ସ ଆଉ ଧାନ ଉଠାଇବାକୁ ଗାଡ଼ି ପଠାଉନଥିଲେ। ଚାଷୀ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍‌ ଉପସ୍ଥିତିରେ ଧାନ ଉଠିଥିଲା। ତେବେ ଦୁର୍ଗମ ଇଲାକାରେ ଏବେବି ଶହଶହ ବସ୍ତା ଧାନ ପଡ଼ି ରହିଛି। ପାଣିପାଗ ଅନୁକୂଳ ରହୁନଥିବାରୁ କିଛି ଚାଷୀ ଧାନ ଶୁଖାଇ ପାରୁନାହାନ୍ତି। ଫଳରେ ଭିଜା ଧାନରେ ଗଜା ବାହରି ଗଲାଣି। ଏଣେ ଚାଷୀଙ୍କୁ କମ୍‌ ଦରରେ ଧାନ ବିକ୍ରି କରିବା ପାଇଁ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି। ଦଲାଲମାନେ ସିଧା ଖଳାରେ ଶୁଖୁଥିବା ଧାନ ଅତି କମ୍‌ ଦରରେ କିଣୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର