ବିଜେପୁର ଉପନିର୍ବାଚନ : ରୀତା ସାହୁଙ୍କ ନାମାଙ୍କନ ଦାଖଲ

ବିଜେଡିର ୭୨ ହେଭିେଓ୍ଵଟ୍‌ ନେତା ଉପସ୍ଥିତ

ବରଗଡ଼/ପଦ୍ମପୁର : ବିଜେପୁର ଉପନିର୍ବାଚନ ପାଇଁ ପଦ୍ମପୁରରେ ବିଜେଡି ଶଂଖନାଦ କରିଛି। ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପିରାମ ମାଝୀଙ୍କ ନିକଟରେ ପ୍ରାର୍ଥିନୀ ରୀତା ସାହୁ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସକାଳୁ ବିଜେପୁର ନିର୍ବାଚନ ମଣ୍ଡଳୀ ସମେତ ଆଖପାଖ ଅଂଚଳରୁ ହଜାରହଜାର କର୍ମୀ ପଦ୍ମପୁରରେ ଠୁଳ ହୋଇଥିଲେ। କର୍ମୀମାନଙ୍କୁ ଆଣିବା ପାଇଁ ବୁଥ୍‌ ଏବଂ ବ୍ଲକଓ୍ଵାରୀ ନେତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ସକାଳ ୯ଟାରୁ କର୍ମୀମାନେ ହଜାରହଜାର ଗାଡ଼ିରେ ପଦ୍ମପୁର ପହଂଚିଥିଲେ। ଏହା ସହିତ ରାଜ୍ୟର ହେଭିେଓ୍ଵଟ୍‌ ନେତା ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ଆରମ୍ଭ ହୋଇଥିଲା ସାଧାରଣ ସଭା। ଏଠାରେ ବିଜେପୁର ଉପନିର୍ବାଚନରେ ଦଳ ଅନାୟସରେ ବିଜୟ ହାସଲ କରିବ ବୋଲି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ବିଜେପୁର ବିଜୟ ଅନ୍ୟ ଦଳ ପାଇଁ ଦିବା ସ୍ୱପ୍ନ। ବିଜେଡି ଉପରେ ଲୋକଙ୍କ ଭରସା ଥିଲା, ଏବେ ବି ଅଛି। ଯାହାର ପ୍ରମାଣ ପ୍ରତିପକ୍ଷ ଦଳମାନଙ୍କୁ ଉପନିର୍ବାଚନର ଫଳାଫଳରୁ ମିଳିଯିବ। ରୀତା ସାହୁ ରେକର୍ଡ ଭେଟ୍‌ ବ୍ୟବଧାନରେ ବିଜୟୀ ହେବେ। ବୋଲି ଦଳୀୟ ନେତାମାନେ କହିଥିଲେ। ଏହାପରେ ଏକ ବିରାଟ ପଟୁଆର ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚିଥିଲା। ସେଠାରେ ଦଳୀୟ ନେତୃବର୍ଗଙ୍କ ଉପସ୍ଥିତିରେ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପର୍ବରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ବିଜେପି ତୁଳନାରେ ତିନିଗୁଣା କର୍ମୀ ପଦ୍ମପୁରରେ ଠୁଳ ହୋଇଥିବା ନେତାମାନେ କହୁଛନ୍ତି। ଆଶାନୁରୂପକ ଭିଡ଼ ଦଳକୁ ଆଶ୍ୱସ୍ତ କରିଛି। ଲୋକଙ୍କୁ ନିଜ ପକ୍ଷକୁ ଟାଣିବାକୁ ଦଳ ସବୁ ବନ୍ଦୋବସ୍ତ କରିଥିଲା। ସିନେଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଉପସ୍ଥିତି କର୍ମୀ ତଥା ଜନତାଙ୍କୁ ଆମୋଦିତ କରିଥିଲା।

ନାମାଙ୍କନ ପର୍ବରେ ପ୍ରସନ୍ନ ଆଚାର୍ଯ୍ୟ, ନଗେନ୍ଦ୍ର ପ୍ରଧାନ, ପ୍ରଭାସ ସିଂ, ଅନଂଗ ଉଦୟ ସିଂଦେଓ, କିଶୋର ମହାନ୍ତି, କଳିକେଶ ନାରାୟଣ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନିରଂଜନ ପୂଜାରୀ, ସ୍ନେହାଂଗିନୀ ଛୁରିଆ, ସୁଶାନ୍ତ ସିଂ, ଭୁପିନ୍ଦର ସିଂ, ପ୍ରଶାନ୍ତ ନନ୍ଦ, ସଂଜୟ ଦାସବର୍ମା, ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ରାସେଶ୍ୱରୀ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ବଳଭଦ୍ର ମାଝୀ, ଟୁକୁନି ସାହୁ, ପୂର୍ବତନମନ୍ତ୍ରୀ ବିଜୟ ରଂଜନ ସିଂ ବରିହା, ପୁଷ୍ପେନ୍ଦ୍ର ସିଂଦେଓ, ଅତନୁ ସବ୍ୟସାଚୀ ନାଏକ, ଯୋଗେନ୍ଦ୍ର ବେହେରା, ଅନୁପ ସାଏ, ବବି ଦାସ, ପ୍ରୀତି ରଂଜନ ଘଡ଼େଇଙ୍କ ସମେତ ୭୨ଜଣ ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିଥିଲା। ଏହାବାଦ ରାଜ୍ୟ ତଥା ସ୍ଥାନୀୟ ନେତୃବର୍ଗ ପ୍ରତିଟି କାର୍ଯ୍ୟକୁ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳନା କରିଥିଲେ। ବିଜେପିର ଭବ୍ୟ ପ୍ରସ୍ତୁତିରୁ ଟପିବା ପାଇଁ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେବେ ଏହି ଚାଲେଞ୍ଜକୁ ଉପସ୍ଥିତ ଜନସମୁଦ୍ର ପ୍ରତିହତ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର