ବିଜେପୁର ଉପନିର୍ବାଚନ : ବିଜେଡିର ବାଜିମାତ୍‌

ବିଜେଡି: ୧,୦୨,୮୭୧ ବିଜେପି: ୬୦,୯୩୮ କଂଗ୍ରେସ: ୧୦,୨୭୪

ରୀତାଙ୍କ ସପକ୍ଷରେ ଏକତରଫା ରାୟ
ବିଜେପିକୁ ଜବରଦସ୍ତ ଝଟ୍‌କା
କଂଗ୍ରେସର ଅମାନତ ଉଡ଼ିଗଲା
୧୪ବର୍ଷ ବନବାସ ପରେ ଆସିଲା ବିଜେଡି

ଭୁବନେଶ୍ୱର/ବରଗଡ : ୧୪ବର୍ଷର ବନବାସ ପରେ ବିଜେପୁର ଗଡ଼ ଶଙ୍ଖ ଗର୍ଜନରେ ଆଜି କମ୍ପିଛି। ବିଜେପୁର ଭୋଟର ବିଜେଡିକୁ ବଡ଼ ଭୋଟ ବ୍ୟବଧାନରେ ବିଜୟର ଟୀକା ପିନ୍ଧାଇଛନ୍ତି। ଜଣାଇଦେଇଛନ୍ତି, ଦିବଂଗତ ବିଧାୟକ ସୁବଳ ସାହୁଙ୍କ ଅବର୍ତମାନରେ ତାଙ୍କ ପତ୍ନୀ ରୀତା ସାହୁ ୧୪ ମାସ ପାଇଁ ବିଧାୟିକା ଭାବେ ଅଞ୍ଚଳବାସୀଙ୍କୁ ପ୍ରତିନିଧିତ୍ୱ ଦେବେ।

ଗତ ୨୪ ତାରିଖରେ ବିଜେପୁର ନିର୍ବାଚନମଣ୍ଡଳୀ ଲୋକେ ଯେଉଁ ମତଦାନ କରିଥିଲେ, ଆଜି ପଦ୍ମପୁର ଅଞ୍ଚଳ କଲେଜରେ ତାହାର ରାୟ ପ୍ରକାଶ ପାଇଥିଲା। ଫଳାଫଳ ହେଲା, ରୀତା ସାହୁ ୪୧ ହଜାର ୯୩୩ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରିଛନ୍ତି। କଂଗ୍ରେସ ଶୋଚନୀୟ ବିପର୍ଯ୍ୟୟର ଶିକାର ହୋଇଛି। ଦଳର ପ୍ରାର୍ଥୀ ପ୍ରଣୟ ସାହୁ ନିଜର ଅମାନତ ରଖିପାରିନାହାନ୍ତି।

ମୋଟ ୨୧ଟି ରାଉଣ୍ଡ ଭୋଟ ଗଣତି ହୋଇଥିଲା। ସବୁ ରାଉଣ୍ଡରେ ବିଜେଡି ଆଗରେ ରହିଥିଲା। ବିଜେପୁର ଇତିହାସରେ କୌଣସି ଦଳ ସପକ୍ଷରେ ଏତେ ସଂଖ୍ୟକ ଭୋଟ ପଡିବା ଓ ପ୍ରାର୍ଥୀ ଏତେ ବଡ଼ ବ୍ୟବଧାନରେ ବିଜୟୀ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଉଭୟ କ୍ଷେତ୍ରରେ ବିଜେଡି ରେକର୍ଡ ପ୍ରତିଷ୍ଠା କରିଛି।
ବିଜେଡି ୫୬.୬୧ ଭାଗ ଭୋଟ୍‌ ପାଇଥିବା ବେଳେ ବିଜେପିକୁ ୩୩.୫୩ ଭାଗ ମିଳିଛି।

ସେହିଭଳି ଅମାନତ ହରାଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫.୬୫ ଭାଗ ଭୋଟ୍‌।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳରେ ଗଦ୍‌ଗଦ୍‌ ହୋଇପଡିଥିବା ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ସବୁଠାରୁ ବଡ଼ କଥା ହେଲା, ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି।

ନିର୍ବାଚନ ଫଳାଫଳ ସୂଚାଉଛି ଯେ ମୋଟ ୧୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣ ଅମାନତ ରଖିପାରିନାହାନ୍ତି। ଏହି ଉପନିର୍ବାଚନରେ ୮୨.୧୭% ଅର୍ଥାତ୍‌ ୧ଲକ୍ଷ ୮୧ ହଜାର ୭୧୬ ଜଣ ଭୋଟର ବିଧାୟକଙ୍କୁ ବାଛିବା ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ୧ଲକ୍ଷ ୨ହଜାର ୮୭୧ ଭୋଟର ରୀତା ସାହୁଙ୍କ ସପକ୍ଷରେ ଭୋଟଦାନ କରିଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀଙ୍କୁ ୬୦ ହଜାର ୯୩୮ ଜଣ ବିଧାୟକ କରିବା ପାଇଁ ଅଣ୍ଟା ଭିଡିଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦ ହଜାର ୨୭୪ ଭୋଟ ସମର୍ଥନ ଦେଇଥିଲେ। ୧୬୮୪ ଜଣ ଭୋଟର ନୋଟା ସ୍ୱିଚ୍‌ ଟିପିଥିଲେ।

ବିଜେପୁର ଉପନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବ୍‌ଦବା ସତ୍ତ୍ୱେ ଯେଉଁ ଆସନରୁ ସୁବଳ ସାହୁ ଲଗାତାର ତିନି ତିନି ଥର ବିଜୟ ହାସଲ କରିଥିଲେ, ସେ ଆସନରେ ଜିତିବା ଦୂର କଥା ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିକୁ ବିି ଦଳ ଆସିପାରିଲା ନାହିଁ। କଂଗ୍ରେସ ଭୋଟ ବ୍ୟାଙ୍କ ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଛି।

ବିଜେପୁର ଫଳାଫଳ ବିଜେପି ଶିବିରକୁ ଦୋହଲାଇ ଦେଇଛି। ଯେଉଁ ନିର୍ବାଚନମଣ୍ଡଳୀରେ ଭୋଟର ପଞ୍ଚାୟତ ନିର୍ବାଚନରେ ବିଜେପି ସପକ୍ଷରେ ମତ ଅଜାଡି ଦେଇଥିଲେ, ମାତ୍ର ୧୦ମାସ ପରେ ସେହି ଭୋଟର ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ବିଜେପି ଭୋଟ ବଢିଥିଲେ ହେଁ, ସଂଖ୍ୟାଧିକ ଭୋଟର ପଦ୍ମ ବା ଗେରୁଆ ଦଳ ଉପରେ ଅନାସ୍ଥା ଭାବ ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳ ଏହି ଉପନିର୍ବାଚନ ଲଢୁଥିବାରୁ ରାଜନୈତିକ ପର୍ଯ୍ୟବେକ୍ଷକ ନିର୍ବାଚନ ପରାଜୟ ପାଇଁ ତାଙ୍କ ଆଡ଼କୁ ଆଙ୍ଗୁଳି ଉଠାଉଛନ୍ତି। କାରଣ ଛଅ ଛଅ ଜଣ ମନ୍ତ୍ରୀ, ୪୨ଟି ସଭା, ନିର୍ବାଚନ ମଇଦାନରେ ଯୁଝିବା ପରେ ପଦ୍ମ ପାଖୁଡାକୁ ସେ ଅକ୍ଷତ ରଖିପାରିଲେ ନାହିଁ, ତାହା ମଳିନ ପଡି ଝଡିଗଲା। କେବଳ ସେତିକି ନୁହେଁ, ବିଜେପିର ମିସନ ୧୨୦+ ଦମ୍ଭକୁ ବିଜେପୁରବାସୀ ସନ୍ଦେହ ଘେରକୁ ଟାଣିନେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅଞ୍ଚଳବାସୀଙ୍କୁ ପ୍ରଭାବିତ କରି ପାରି ନଥିବା ସ୍ପଷ୍ଟ କରିଦେଇଛନ୍ତି।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ଦୋହଲିଯାଇଥିବା ବିଜେଡି ପୁଣି ଦୃଢ ଭାବେ ନିଜକୁ ପ୍ରକଟ କରିଛି। ବିଜେପୁରରେ ବିଜୟ ପରେ ଦଳୀୟ ନେତା ଓ କର୍ମୀ ଆତ୍ମବିଶ୍ୱାସ ଫେରି ପାଇଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜୟର ପୂରା ଶ୍ରେୟ ନବୀନଙ୍କୁ ଦେଇଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସୂଚାଉଛନ୍ତି ଯେ ରୀତା ସାହୁଙ୍କୁ ପ୍ରତି ଯେତିକି ଅନୁକମ୍ପା ଥିଲା, ନବୀନଙ୍କୁ ଚପଲ ଫିଙ୍ଗା ଘଟଣା ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଓ ତାଙ୍କ ସହଯୋଗୀକୁ ଗୁଳିମାଡ଼ ଘଟଣା ବିଜେଡି ସପକ୍ଷରେ ଏକତରଫା ରାୟ ପାଇଁ ତା ଠାରୁ ଅଧିକ ଖୋରାକ ଯୋଗାଇଥିଲା। ନିର୍ବାଚନ ଦିନ ବିଜେଡି କର୍ମୀ ତଥା ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଲୋକଙ୍କ ଆକ୍ରୋଶକୁ ଭୋଟରେ ରୂପାନ୍ତରିତ କରିବାରେ ପ୍ରମୁଖ ମାଧ୍ୟମ ପାଲଟିଲା।

ଉଲ୍ଲେଖଥାଉକି, ୨୦୧୪ ନିର୍ବାଚନରେ କଂଗ୍ରେସର ବିଧାୟକ ଦିଂବଗତ ସୁବଳ ସାହୁ ୫୩ ହଜାର ୨୯୦ଟି ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୫୨ ହଜାର ୮୩୨ ଭୋଟ ମିଳିଥିଲା ଏବଂ ବିଜେପି ୩୦ ହଜାର ଭୋଟ ସହିତ ତୃତୀୟସ୍ଥାନରେ ଥିଲା। ତେବେ ଗତବର୍ଷ ପଞ୍ଚାୟତ ନିର୍ବାଚନରେ ବିଜେପି ସପକ୍ଷରେ ଭୋଟର ଏକତରଫା ଭାବେ ରାୟ ଦେଇଥିଲେ ଓ ଦଳ ୭ରୁ ୬ଟି ଜିଲ୍ଲା ପରିଷଦ ଆସନ ହାତେଇବା ସହିତ ପାଖାପାଖି ୯୨ହଜାର ଭୋଟ ପାଇଥିଲା।

୨୦୦୦-୨୦୦୪ ଏହି ଆସନରେ ବିଜେଡି ପ୍ରାର୍ଥୀ ଭାବେ ଅଶୋକ ପାଣିଗ୍ରାହୀ ନିର୍ବାଚନ ଜିତିଥିଲେ। ତା ପରଠାରୁ ବିଜେଡି ନିର୍ବାଚନରେ କେବେ ବି ଦବ୍‌ଦବ୍‌ା ପ୍ରକଟ କରିପାରିନଥିଲା।

ସମ୍ବନ୍ଧିତ ଖବର