ରୋଚକ ସ୍ଥିତିରେ ବିଜେପୁର ଆସନ : ଆଶାୟୀଙ୍କ ସଂଖ୍ୟା ବଢୁଛି, ବିକାଶ ଉପରେ ନେତାଙ୍କ ଫୋକସ୍‌

ବରଗଡ଼ : ୬ମାସ ତଳେ ଉପ ନିର୍ବାଚନ ସାମ୍ନା କରିଥିଲା ବରଗଡ଼ ଜିଲ୍ଲାର ବିଜେପୁର। ଶାସକ ବିଜେ଼ଡି ବିରୋଧୀଙ୍କୁ ମାତ୍‌ ଦେଇ ଏହି ଆସନକୁ ଦଖଲ କରିଥିଲେ। ଆଉ କେଇ ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେପୁର ସମୀକରଣ ବଦଳିବ କି? ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବ? କିଏ ହେବ କଂଗ୍ରେସ ପ୍ରାର୍ଥୀ? ଉପନିର୍ବାଚନରେ ବିଫଳ ହେବା ପରେ ବିଜେପି ଆଉ କିଛି ନୂଆ ଚାଲ୍‌ ଖେଳିବ କି?

ଏମିତି କିଛି ପ୍ରଶ୍ନ ଏବେ କେବଳ ବରଗ଼ଡ ଜିଲ୍ଲା ନୁହେଁ, ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେପୁର ନିର୍ବାଚନମଣ୍ଡଳୀର ଭୋଟରଙ୍କ ନିରବତା ଏହି ପ୍ରସଙ୍ଗର ଗମ୍ଭୀରତାକୁ ଯଥେଷ୍ଟ ବଢାଇ ଦେଇଛି। ଅନ୍ୟପଟରେ ବିଭିନ୍ନ ରାଜନୈତିକ ଦଳର ନେତା ଉପନିର୍ବାଚନ ପରେ ଉତ୍ସାହିତ ହୋଇପଡିଛନ୍ତି। ପ୍ରାର୍ଥୀ ହେବା ଲାଗି ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ବଢିଯାଇଛି।

ଉଲ୍ଲେଖନୀୟ କଥା ହେଲା, ବୃହତ୍‌ ବିଜୟ ପରେ ବିଜେଡି ଚୁପ୍‌ ବସିନାହିଁ। ବିଜେପି ମୁଣ୍ଡରୁ ଏହି ନିର୍ବାଚନମଣ୍ଡଳୀ ଦଖଲ ନିଶା ବଢିଛି ସିନା, ଖସିନାହିଁ। ଉଭୟ ବିକାଶ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ଉପ ନିର୍ବାଚନ ବେଳେ ଯେତେସବୁ ପ୍ରକଳ୍ପ ଘୋଷଣା ହୋଇଥିଲା, ସେସବୁ କିଭଳି ବାସ୍ତବ ରୂପ ନେବ, ସେଥିପାଇଁ ସ୍ଥାନୀୟ ନେତାମାନେ ଉଦ୍ୟମ ଚଳାଇଛନ୍ତି, ସରକାର ବି। ବିଜେପି ନୂଆ ପ୍ରକଳ୍ପର ସ୍ୱପ୍ନ ଦେଖାଇ ଭୋଟରଙ୍କ ମନ କିଣିବାକୁ ଉଦ୍ୟମ ଆରମ୍ଭ କରିଛି। ଏ କ୍ଷେତ୍ରରେ କିନ୍ତୁ କଂଗ୍ରେସ ସାମାନ୍ୟ ପଛରେ ଅଛି।

ବର୍ଷକ ତଳେ ଅର୍ଥାତ୍‌ ଗତ ଅଗଷ୍ଟ ମାସରେ ତତ୍କାଳୀନ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ଘଟିଥିଲା। ଏହା ପରେ ବିଜେପୁର ଆସନକୁ ନେଇ ଆରମ୍ଭ ହୋଇଥିଲା ଘମାଘୋଟ ରାଜନୀତି। ଦୀର୍ଘ ଛଅମାସ ଧରି ଛକାପଞ୍ଝା ଲାଗି ରହିବା ପରେ ଗତ ଫେବ୍ରୁଆରିରେ ଉପ ନିର୍ବାଚନ ହୋଇଥିଲା ଏହି ଆସନରେ।

ଦିବଂଗତ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ନିଜ ପକ୍ଷକୁ ଟାଣି ଉପନିର୍ବାଚନକୁ ଓହ୍ଲାଇଥିଲା। ରୀତା ୧ ଲକ୍ଷ ୨ହଜାର ୮୭୧ ଭୋଟ୍‌ ପାଇଥିଲେ। ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ସେ ୪୧ ହଜାର ୯୩୩ ଭୋଟ୍‌ରେ ହରାଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପାଇଥିଲେ ମାତ୍ର ୧୦,୨୭୪ ଭୋଟ୍‌। ନିଜ ଅମାନତ ରଖିବା ତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ।

ଏହି ଉପନିର୍ବାଚନ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପାଇଁ ଅଗ୍ନୀ ପରୀକ୍ଷା ସଦୃଶ ହୋଇଥିଲା। ପଞ୍ଚାୟତ ନିର୍ବାଚନର ବିପର୍ଯ୍ୟୟ ପରେ ବିଜେଡି ମୁଖିଆ ନବୀନଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇପଡିଥିଲା। ଅନ୍ୟଥା ବାର୍ତା ଯାଇଥାନ୍ତି, ତାଙ୍କ ପତିଆରା ଖସୁଛି, ଭୋଟର ଆଉ ପସନ୍ଦ କରୁନାହାନ୍ତି। ନବୀନ ଏଥିରେ ବାଜିମାତ୍‌ କଲେ। ବିଜେପି ବହୁ ପଛରେ ରହିଲେ ବି ଦଳ ପାଇଁ ଆଶ୍ୱାସନାର କଥା ଥିଲା ଯେ ସେମାନେ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେଲେ। ହେଲେ ସାଂଘାତିକ କ୍ଷତି ସହିଲା କଂଗ୍ରେସ। ଦଖଲରେ ଥିବା ଏହି ଆସନକୁ ନିଜ ପାଖରେ ରଖିବାକୁ ସକ୍ଷମ ହେଲେ ନାହିଁ କଂଗ୍ରେସ ନେତାଏ।

ଏହି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ଭାଇଙ୍କ ଉପରେ ହୋଇଥିବା ଆକ୍ରମଣ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣାରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଗିରଫ କରିଥିଲା ପୁଲିସ।

ଏସବୁ କାରଣ ବିଜେପୁର ନିର୍ବାଚନମଣ୍ଡଳୀର ଗୁରୁତ୍ୱକୁ ବହୁଗୁଣିତ କରିଛି। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପୁର ଆସନର ଫଳାଫଳ କଣ ହେବ, ସେ ନେଇ ଏବେ ଠାରୁ ରାଜନୈତିକ ମହଲ ମଧ୍ୟ ଅଙ୍କକଷା ଆରମ୍ଭ କଲେଣି।

କାହାକୁ ଦଳୀୟ ଟିକେଟ୍‌ ମିଳିବ, ସେ ଚିତ୍ର ତିନି ପ୍ରମୁଖ ଦଳରେ ଅସ୍ପଷ୍ଟ ରହିଛି। ହେଲେ ଟିକେଟ୍‌ ପାଇଁ ଲବି କରିବାକୁ ଯାଇ ଆଶାୟୀ ପ୍ରାର୍ଥୀମାନେ ସଭାସମିତି ଏବଂ ବିକ୍ଷୋଭ, ଧାରଣା ଆଦି କାର୍ଯ୍ୟ ଆରମ୍ଭ କରି ଦେଲେଣି।

ନେତା ଚୟନ ଦିଗରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ବଦଳରେ ଉପନିର୍ବାଚନ ବେଳେ ବିଜେଡି ଭୋଟର୍‌ଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାକୁ କାର୍ଯ୍ୟକାରୀ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି। ବିଶେଷକରି ଦାମୋଦର କଁଟାର ପୁନରୁଦ୍ଧାର, ଗଂଗାଧର ମେହେର ଜଳସେଚନ ପ୍ରକଳ୍ପକୁ ବିଜେଡି ଶୀଘ୍ର ସାରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ଦୁଇଟି ପ୍ରକଳ୍ପ ବିଜେଡି ପାଇଁ ଆସନ୍ତା ଦିନରେ ନିର୍ବାଚନୀ ଏଜେଣ୍ଡାର ମଲାଟ ଭଳି କାମ ଦେବ ବୋଲି ରାଜନୈତିକ ମହଲର ମତ। ସେହିଭଳି ଇଥାନଲ୍‌ କାରଖାନା ପ୍ରକଳ୍ପକୁ ତ୍ୱରାନ୍ଵିତ କରି ବିଜେପି ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ପ୍ରସ୍ତୁତ। ବରଗଡ଼ ଜିଲ୍ଲାର ସବୁ ଆସନରୁ ଗାଦିଚ୍ୟୁତ ହୋଇଥିବା କଂଗ୍ରେସ ଏହି କ୍ଷେତ୍ରରେ ପଛରେ ପଡ଼ି ଯାଇଛି। ତେଣୁ ଚାଷୀ ଓ ଚାଷ ସମସ୍ୟାକୁ ନେଇ କଂଗ୍ରେସ ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି। ରାଜ୍ୟ କଂଗ୍ରେସର ନବକଳେବର ପରେ କଂଗ୍ରେସିଆ ଟିକେ ଅଧିକ ତତ୍ପରତା ଦେଖାଉଛନ୍ତି।

ବିଜେପୁର ଆସନ ପାଇଁ ବିଜେଡି, କଂଗ୍ରେସ ଏବଂ ବିଜେପିରେ ପ୍ରାୟ ଅଧ ଡଜନ ଲେଖାଏଁ ଆଶାୟୀ ଟିକେଟ୍‌ ପାଇଁ ଉଦ୍ୟମ ଚଳାଇଛନ୍ତି। ବିଜେଡି ବିଧାୟିକା ରୀତା ସାହୁ ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ରୀତାଙ୍କୁ ପୁଣି ବିଜେଡି ପରଖିବ ନା ଅନ୍ୟ ପ୍ରାର୍ଥୀ ଦେବ, ତାକୁ ନେଇ ସବୁ ଶିବିରରେ ଉତ୍କଣ୍ଠା ରହିଛି। ସେହିଭଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ନେତା ପ୍ରତାପ ଆଦିତ୍ୟ ମିଶ୍ରଙ୍କ ପାଇଁ ଦଳର ସମୀକରଣ କଣ ହେବ, ତାହା ଉପରୁ ଦଳର ରାଜ୍ୟ ସଭାପତି ପରଦା ଉଠାଇନାହାନ୍ତି।
ସେହିପରି ଉପନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପୁଣି ଦଳ ସୁଯୋଗ ଦେବ କି ନାହିଁ, ତାହା ବଡ଼ ପ୍ରଶ୍ନ। ବିଜେପିର ସର୍ଭେ ରିପୋର୍ଟ ହିଁ ଅଶୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କିଛି ସ୍ଥାନୀୟ ନେତା ମତ ରଖୁଛନ୍ତି।

ହେଲେ ପ୍ରାର୍ଥୀ ଚୟନ କ୍ଷେତ୍ରରେ କଂଗ୍ରେସ ସାମାନ୍ୟ ସୁବିଧା ସ୍ଥିତିରେ ରହିଛି। ଶେଷ ମୁହୂର୍ତ୍ତରେ ଟିକେଟ୍‌ ହରାଇଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଦଳର ପ୍ରଥମ ପସନ୍ଦ ଭାବେ ରହିଥିବା କୁହାଯାଉଛି। କିନ୍ତୁ ଦଳୀୟ ହାଇକମାଣ୍ଡ କେତେ ବେଳେ କେଉଁ ନିଷ୍ପତ୍ତି ନେବେ, ସାହା ସହଜେ ଠଉରାଇବା କାଠିକର।

ସମ୍ବନ୍ଧିତ ଖବର