ନବୀନଙ୍କ ଗସ୍ତ ପରେ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ସରକାରୀ ଟଙ୍କାରେ ମୁଖ୍ୟମନ୍ତ୍ରୀ ବରଗଡକୁ ରାଜନୀତି କରିବାକୁ ଆସିଥିଲେ : କଂଗ୍ରେସ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ପରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ଏହି ଯୁଦ୍ଧର ଆରମ୍ଭ କରିଛି। ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ବିଜେପି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜିଲ୍ଲାବାସୀଙ୍କ ପାଇଁ ପ୍ରତାରଣା ବୋଲି ବ‌ିବେଚନା କରିଥିଲା। ବିଜେପିର ମନ୍ତବ୍ୟ ‌ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ। ଜିଲ୍ଲାର ସାମଗ୍ରିକ ବିକାଶରେ ବିଜେପି ଛାନିଅଁା ହୋଇଛି ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ମତ ରଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ପାଖାପାଖି ୨୦୩୬ କୋଟି ଟଙ୍କାର ଭେଟି ଜିଲ୍ଲାବାସୀଙ୍କୁ ଦେଇଛନ୍ତି। ଏଥିରୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ବଦ୍ଧ ପରିକର ଥିବା ବାରି ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଜିଲ୍ଲାର ସାମଗ୍ରିକ ବିକାଶ ଦେଖି ବିଜେପି ଛାନିଅଁା ହୋଇଛି। ଅଯଥା କଥାରେ ବିଜେପି ମୁଣ୍ଡ ପୂରାଉଛି। ଗତ ୧୯ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ବରଗଡ଼ବାସୀଙ୍କ ପାଇଁ କଣ କରିଛନ୍ତି ତାହା ସଭିଁଙ୍କୁ ଜଣା। ସୋହେଲା ଇଚ୍ଛାପାଲି ଗସ୍ତରେ ଆସି ସେ ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା, ବିଜୁ ଏକ୍ସପ୍ରେସ୍‌ ୱେ ଲୋକାର୍ପଣ, ଗଙ୍ଗାଧର ମେହେର ବୃହତ୍ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ, ପଦ୍ମଶ୍ରୀ ହଳଧର ‌ସମ୍ବଲପୁର-କୋସଲି ଭାଷା ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହ ୧୪ ଲକ୍ଷ ଚାଷୀଙ୍କୁ ୭ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏସବୁ ଦେଖି ବିଜେପି ନେତୃମଣ୍ଡଳୀ ହତାଶ ହୋଇଛନ୍ତି। ଇଚ୍ଛାପାଲିରେ ଦେଢ଼ ଲକ୍ଷରୁ ଅଧିକ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ରକ୍ରିୟାରେ ସାମିଲ ହୋଇ କେନ୍ଦ୍ର ସରକାରକୁ ଗୋଟିଏ ହିସାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେଡିର ଅଭୂତପୂର୍ବ ବିକାଶ କାର୍ଯ୍ୟକ୍ରମ ଦେଖି ବିଜେପି ନେତୃମଣ୍ଡଳୀ ଅଯଥା ତଥ‌ା ବିଭ୍ରାନ୍ତିକର ଟିପ୍ପଣି ଜାରି ରଖିଛନ୍ତି ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।

ବରଗଡ଼,: ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ସରକାରୀ ଟଙ୍କାରେ ବିଜେଡିର ଏକ ରାଜନୀତି ଗସ୍ତ ଥିଲା ବୋଲି ପିସିସି ପ୍ରବକ୍ତା ହମିଦ ହୁସେନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ଗସ୍ତ ସମୟରେ ମାତ୍ର ୩ ମିନିଟ ଅଭିଭାଷଣ ରଖିଥିବା ବେଳେ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିବା ଦୁର୍ଭାଗ୍ୟଜନକ ବୋଲି ହୁସେନ କହିଛନ୍ତି । ଚାଷୀକୁ ତାର ହକ୍‌ ଦରକାର କାଳିଆ ନୁହେଁ ବୋଲି କହିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା ଚାଷୀମାନଙ୍କୁ ଦେବାପାଇଁ ସେ ରାଜ୍ୟ ସରକାରଙ୍କଠାରେ ଦାବି କରିଥିଲେ । ଛତିଶଗଡର କ˚ଗ୍ରେସ ସରକାର ଧାନର ସର୍ବନିମ୍ନ ମୂଲ୍ୟ ୨୫ ଶହ ଟଙ୍କା ଦେଇଥିବା ବେଳେ ପୂର୍ବରୁ ଚାଷୀଙ୍କୁ ବୋନସ ଦିଆଯିବ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ନା ବୋନସ ଦେଲେ ନା ଧାନର ସର୍ବନିମ୍ନ ମୂଲ୍ୟ ବଢ଼ାଇଲେ। ଭାଗଚାଷୀ ଏବ˚ ଭୂମିହୀନ ଚାଷୀ କିଏ ତାହା ରାଜ୍ୟ ସରକାର ଆଜିଯାଏଁ ସ୍ଥିର କରି ନ ଥିବା ବେଳେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ବୋଲି କହିବା ହାସ୍ୟାସ୍ପଦର ବିଷୟ। ଆଜି ଓଡିଶାରେ ପାଖାପାଖି ୮୫ ଲକ୍ଷ ବେକାରୀ ଥିବା ବେଳେ ତାଙ୍କ ପାଇଁ ଚାକିରି ନାହିଁ, ସ୍କୁଲରେ ୩୬ ହଜାର ଶିକ୍ଷକ ପଦବୀ ଖାଲିଥିଲେ ବି ତାହା ପୂରଣ କରାଯାଉ ନାହିଁ, ଓଡିଶାର ଅର୍ଦ୍ଧାଧିକ ପରିବାର ବିପିଏଲ ଶ୍ରେଣୀର ଥିବା ବେଳେ ସେଥିରୁ ଉନ୍ନତି ଘଟୁନାହିଁ ଏବ˚ ଓଡିଶାର ଜିଡିପି ଅଭିବୃଦ୍ଧି ମାତ୍ର ୬.୬ ପ୍ରତିଶତ ରହିବା ବିଜେଡିର ୧୯ ବର୍ଷ ଶାସନର ଅସଲ ଚେହେରା ପଦାକୁ ଆସିଛି ବୋଲି ହମିଦ ହୁସେନ କହିଥିଲେ ।

ସମ୍ବନ୍ଧିତ ଖବର