ବିଜେପୁରରେ ବିଜେପିର ପ୍ରଚାର ଗାଡ଼ି ଅଟକ

ବରଗଡ଼ : ବିଜେପୁରରେ ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବିଜେପିର ପ୍ରଚାର ଗାଡ଼ିକୁ ନିର୍ବାଚନ କମିସନ୍‌ଙ୍କ ଅଧିକାରୀମାନେ ଅଟକ ରଖିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଗାଡ଼ି ଅଟକାଇବା ଯୋଗୁ ପଛ ଗାଡ଼ିରେ ଆସୁଥିବା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ମଧ୍ୟ ଅଟକି ଯାଇଥିଲେ। ତେବେ କାଗଜପତ୍ର ଦେଖିବା ପରେ ଗାଡ଼ିକୁ ଛଡ଼ାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନିର୍ବାଚନ ତଦାରଖ କରିବା ପାଇଁ ଏଠାରେ ପର୍ଯ୍ୟବେକ୍ଷକ ଭାବେ ଅଭିଷେକ ଚନ୍ଦ୍ରା, ପର୍ଯ୍ୟବେକ୍ଷକ (ବ୍ୟୟ) ସୁନୀଲ ଯାଦବଙ୍କୁ ନିଯୁକ୍ତ କରାଯାଇଛି। ରବିବାର ଗୁଦେରପାଲି ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ସଭା ପୂର୍ବରୁ ଏହି ଦୁଇ ଜଣ ପର୍ଯ୍ୟବେକ୍ଷକ ପହଂଚି ଯାଇଥିଲେ। ଗାଁ ଭିତରକୁ ପଶୁଥିବା କିଛି ପ୍ରଚାର ଗାଡ଼ିକୁ ଅଟକ ରଖିଥିଲେ। ପରେ ମାଲିକମାନେ କାଗଜପତ୍ର ଦାଖଲ କରିବା ପରେ ଗାଡ଼ି ଗୁଡ଼ିକ ଛାଡ଼ ପାଇଥିଲା। ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଆଗମନ ପାଇଁ ବିଜେପୁରରୁ ଗୁଦେରପାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଫ୍ଲେକ୍ସ ଏବଂ ଦଳୀୟ ପତାକା ଲାଗିଥିଲା। କିନ୍ତୁ ପର୍ଯ୍ୟବେକ୍ଷକ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଫ୍ଲେକ୍ସ ସବୁ କାଢ଼ି ନିଆଯାଇଥିଲା। ବିଭିନ୍ନ ସ୍ଥାନରୁ ବିଜେଡି ଏବଂ ବିଜେପିର ବ୍ୟାନର ମଧ୍ୟ ଓହ୍ଲାଇ ଦିଆଯାଇଥିଲା। ବାଦପାଲି ଛକ ନିକଟରେ ଫ୍ଲେକ୍ସ କାଢ଼ିବାକୁ ନେଇ ଅଧିକାରୀ ଏବଂ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହିପରି ଅବୈଧ ମାଦକ ଦ୍ରବ୍ୟ ଏବଂ ଟଙ୍କା ଚାଲାଣ ରୋକିବା ପାଇଁ ୨୧ଟି ସ୍ଥାନରେ ଚେକିଂ ପୋଷ୍ଟ ଖୋଲା ଯାଇଛି।

ସମ୍ବନ୍ଧିତ ଖବର