ବରଗଡ଼ରେ ବିଜେପିର ଆଇନ ଅମାନ୍ୟ : ଧସ୍ତାଧସ୍ତି, ଧସେଇ ପଶିଲେ

ବରଗଡ଼ : ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବରଗଡ଼ରେ ସପ୍ତାହବ୍ୟାପୀ ସତ୍ୟାଗ୍ରହ କରିବା ପରେ ବିଜେପି ଶୁକ୍ରବାର ଆଇନ ଆମାନ୍ୟ କରିଛି। ଏହାକୁ ନେଇ ଗାନ୍ଧୀଛକଠାରେ ଅଭାବନୀୟ ପରିସ୍ଥିତି ସାଙ୍ଗକୁ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ଏବଂ ବ୍ୟାରିକେଡ ଭଂଗାରୁଜା ହୋଇଛି। ନେତା ଏବଂ କର୍ମୀମାନେ ଦୌଡ଼ି ଦୌଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଂଚି ଯାଇଥିଲେ। ଏତିକି ବେଳେ ପୁଲିସ୍‌ ତୁଙ୍ଗନେତାଙ୍କ ସହ ୨ଶହ ଜଣଙ୍କୁ ଗିରଫ କରିଥିଲା। ପୁଲିସ୍‌ ସହ କର୍ମୀଙ୍କ ଛକାପଂଝା ଏବଂ ଠେଲାପେଲା ଯୋଗୁଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା।

ପ୍ରଥମେ ଜର୍ଜ ହାଇସ୍କୁଲ ପଡ଼ିଆରୁ ଦଳର ଏକ ରାଲି ଆସି ଗାନ୍ଧୀ ଛକଠାରେ ପହଂଚିଥିଲା। ସେଠାରେ ନେତାମାନେ ଭାଷଣ ଦେଇଥିଲେ। ଗାନ୍ଧୀ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତା ମୁହଁରେ ବ୍ୟାପକ ଫୋର୍ସ ସହ ବ୍ୟାରିକେଡ ଲାଗିଥିଲା। ଆଉ ଗୋଟିଏ ବ୍ୟାରିକେଡ ଡିଏଲ୍‌ଓ ଅଫିସ୍‌ ପାଖାପାଖି ରହିଥିଲା। କିଛି ପୁଲିସ୍‌ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଗେଟ୍‌ରେ ମୁତୟନ ରହିଥିଲେ। ଅର୍ଥାତ ପୁଲିସ୍‌ ପକ୍ଷରୁ ଆଗତୁରା ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ନେତା ଏବଂ କର୍ମୀମାନେ ପୁଲିସ୍‌କୁ ଠେଲାପେଲା କରିବା ସହ ବ୍ୟାରିକେଡ ଭାଂଗି ଜିଲ୍ଲାପାଳଙ୍କ ଦପ୍ତର ଆଡ଼କୁ ଦୌଡ଼ି ଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୁବନେତା ଇରାଶିଷ ଆଚାର୍ଯ୍ୟ ଏବଂ ଯୁବମୋର୍ଚ୍ଚା କର୍ମୀଙ୍କ ସହ ପୁଲିସ୍‌ର ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଉଥିବାବେଳେ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଂଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ସମେତ ୨ଶହ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ଧସ୍ତାଧସ୍ତି ବେଳେ ଜଣେ ମହିଳା ପୁଲିସ୍‌ ଏସ୍‌ଆଇଙ୍କ ସମେତ କିଛି କର୍ମୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର