ଡମ୍ପିଂୟାର୍ଡରୁ ବିଜେପୁର ଉପନିର୍ବାଚନ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକଙ୍କ ମୃତଦେହ ଉଦ୍ଧାର

ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା

ବରଗଡ଼:  ବିଜେପୁର ଉପନିର୍ବାଚନ ପାଇଁ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ବିଜେପୁର ଡମ୍ପିଂୟାର୍ଡ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହା ତରଣୀସେନଙ୍କର ବୋଲି ଚିହ୍ନଟ ହୋଇଛି । ବ୍ଲକ ସଂଯୋଜକ ତରଣୀସେନଙ୍କ ଘର ଗାଇସିଲଟ ବ୍ଲକ ନୂଆପାଲି ଗାଁରେ । ସେ ନିଖୋଜ ହେବା ପରେ  ଗାଇସିଲଟ ଥାନାରେ ଏ ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ବିଜେପୁର ଓ ଗାଇସିଲଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି ।

ଅନ୍ୟପଟେ ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଣ୍ଡ ଗଡ଼ିବା ଘଟଣା ଏବେ ସାଧାରଣରେ ହଟଚମଟ ସୃଷ୍ଟି କରିଛି । ତେବେ ତରଣୀସେନଙ୍କ ମୃତ୍ୟୁ କେମିତି ହେଲା ଏବଂ ତାଙ୍କୁ କିଏ ଓ କାହିଁକି ଡମ୍ପିଂୟାର୍ଡରେ ଫୋପାଡ଼ି ଦେଲା ତାହାର ଖୋଳତାଡ଼ ଆରମ୍ଭ କରିଛି ବିଜେପୁର ଓ ଗାଇସିଲଟ ପୁଲିସ୍ ।

ସବୁଠାରୁ ବଡ଼କଥା ହେଲା, ଆଉ ୫ ଦିନ ପରେ ହେବାକୁଥିବା ବିଜେପୁର ଉପ-ନିର୍ବାଚନ ପୂର୍ବରୁ ଜଣେ ବ୍ଲକ ସଂଯୋଜକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରାଜନୀତିକୁ ଉଷ୍ମ କରିଛି ।

ସମ୍ବନ୍ଧିତ ଖବର