ପ୍ରାର୍ଥୀପତ୍ର ଦାଖଲ ବେଳେ ମାତ୍ରାଧିକ ଖର୍ଚ୍ଚ ଅଭିଯୋଗ :ନିର୍ବାଚନ କମିସନରଙ୍କୁ ଫେରାଦ

ପଦ୍ମପୁର: ତ୍ରିସ୍ତରୀୟ ନିର୍ବାଚନଠାରୁ ଆରମ୍ଭ କରି ବିଧାନସଭା, ଲୋକସଭା ଆଦି ନିର୍ବାଚନରେ ନିର୍ବାଚନୀ ଖର୍ଚ୍ଚ ବାବଦକୁ ଅଟକଳ କରାଯାଇଥିଲେ ସୁଦ୍ଧା କୌଣସି ପ୍ରାର୍ଥୀ ନିଜର ପ୍ରକୃତ ହିସାବ ଦେଉନଥିବାରୁ ଏହା ଗଣତନ୍ତ୍ରର ମର୍ଯ୍ୟାଦାହାନି କରୁଛି ବୋଲି ଅଭିଯୋଗ କରି ଗାଇସିଲାଟ୍‌ ବ୍ଲକ ଭଙ୍ଗାମୁଣ୍ଡା ଗ୍ରାମର ସମାଜସେବୀ ପ୍ରସନ୍ନ କୁମାର ସାହୁ ଭାରତର ନିର୍ବାଚନ କମିସନରଙ୍କୁ ଅଭିଯୋଗ ଦେଇଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେ ନିଜେ ମଧ୍ୟ ବିଭିନ୍ନ ସମୟରେ ନିର୍ବାଚନରେ ପ୍ରାର୍ଥୀ ହୋଇ ପ୍ରାର୍ଥୀପତ୍ର ଦାଖଲ ସମୟରେ ଏକାକୀ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅନେକ ବ୍ୟକ୍ତି ହଜାର ହଜାର ଭୋଟରଙ୍କୁ ଗାଡିମୋଟରରେ ବୋହି ଆଣିଥିଲେ। ପ୍ରଶାସନ ପାଖରେ ଏଥିର ହିସାବ ନଥାଏ, ତେଣୁ ସବୁ ଜାଣି ଅଜଣା ହେଉଥିବା ଯୋଗୁଁ ଗଣତନ୍ତ୍ରକୁ ଭ୍ରଷ୍ଟାଚାର ଦିଗକୁ ଠେଲି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ନିର୍ବାଚନ ସମୟରେ ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ସହ ବିଭିନ୍ନ ସମୟରେ ହିଂସା ସୃଷ୍ଟି କରି ଗ୍ରାମାଂଚଳ ଭୋଟରଙ୍କୁ ଅଯଥା ଭୟଭୀତ କରାଯାଉଛି। ଦେଶକୁ ସ୍ୱଚ୍ଛ ଆଣିବାକୁ ହେଲେ ୫୦ ପ୍ରତିଶତ ବିଧାୟକ, ସଂସଦ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ଅତି ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଦେଶର ଆଇନ କାନୁନ୍‌ ଥାଇ ମଧ୍ୟ ସ୍ୱଚ୍ଛ ନିର୍ବାଚନ ହୋଇପାରୁ ନାହିଁ। ପ୍ରଥମେ ପ୍ରଶାସନକୁ ସ୍ୱଚ୍ଛ ହେବାକୁ ପଡିବ ନହେଲେ ନିର୍ବାଚନ ଯୋଗୁଁ ହିଁ ଗ୍ରାମାଂଚଳରେ ହିଂସା ସୃଷ୍ଟି ହୋଇ ତାହା ଦୀର୍ଘ ଦିନ ଧରି ଗ୍ରାମରେ ବାଦବିବାଦ ଲାଗି ରହୁଛି। ତେଣୁ ଅଶାନ୍ତି ଯୋଗୁଁ ଜନଜୀବନ ପ୍ରତି ବିପଦ ମଧ୍ୟ ଦେଖାଦେଉଛି। ଏଣୁ ଏସବୁକୁ ଦୃଷ୍ଟି ରଖି ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ କମିସନର ଦୃଷ୍ଟି ଦେବାକୁ ଶ୍ରୀ ସାହୁ ଲିଖିତ ଅଭିଯୋଗ ଦେଇଛନ୍ତି। ମତଦାନର ୫୧ ପ୍ରତିଶତ ଭୋଟ ପାଇଥିବା ବ୍ୟକ୍ତି ହିଁ ନିର୍ବାଚିତ ପ୍ରାର୍ଥୀ ବୋଲି ବିବେଚିତ ହେବା ଉଚିତ ବୋଲି ସେ ମତ ଦେବା ସହ ଏହା ହେଲେ ଉତ୍ତମ ଶାସନ ଲୋକଙ୍କୁ ମିଳିପାରିବ ବୋଲି ପ୍ରକାଶ କରିଛନ୍ତି। ଏହି ଅଭିଯୋଗର କପି ସେ ମାନ୍ୟବର ରାଷ୍ଟ୍ରପତି, ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର