ଚକଡ଼ା ପାଇଁ ଆଲର୍ଟ:୪ଟି ଟିମ୍‌ର ସର୍ଭେ ଆରମ୍ଭ

ବରଗଡ଼: ଜିଲ୍ଲାର ବିଭିନ୍ନ ବ୍ଲକରେ ଚକଡ଼ା ପ୍ରାଦୁର୍ଭାବ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି ହୋଇଛି। ଚାଷୀମାନଙ୍କୁ ଆଗତୁର ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଚକଡ଼ାର ପ୍ରକୋପ ଆରମ୍ଭ ହେଉଥିବା ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଚକଡ଼ାରୁ ମୁକ୍ତି ପାଇବା ପାଇଁ ଠୋସ୍‌ ପଦକ୍ଷେପ ଆରମ୍ଭ ହୋଇଛି। ଶନିବାର କୃଷି ବିଭାଗର ନିର୍ଦ୍ଦେଶକ ଏମ୍‌. ମୁଥ୍ଥୁକୁମାର ବରଗଡ଼, ସମ୍ବଲପୁର ଏବଂ କୋରାପୁଟ ଜିଲ୍ଲାର କୃଷି ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ କରିଛନ୍ତି। ଏହାପରେ ସଂଧ୍ୟାରେ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗର ଅଧିକାରୀଙ୍କ ବୈଠକ ବସିଛି। ଏଥିରେ ଏଡିଏମ୍‌ ତପିରାମ ମାଝୀ, ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ସମେତ ଅତାବିରା, ବରଗଡ଼, ଭେଡ଼େନ, ବରପାଲି ସହକାରୀ

କୃଷି ଅଧିକାରୀ, ବରଗଡ଼ ଏବଂ ଭଟଲି ଡିଏଓ, ଡିପିଡି ନରସିଂହ ବେହେରା, କୃଷି ବୈଜ୍ଞାନିକ ନରସିଂହଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ବୈଠକ ପରେ ଅତାବିରା, ବରଗଡ଼, ଭେଡ଼େନ, ବରପାଲି ବ୍ଲକରେ ଚକଡ଼ା ପାଇଁ ସର୍ଭେ କରିବା ପାଇଁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ଜଣେ ଲେଖାଏଁ ନୋଡ଼ାଲ ଅଫିସର, ୨ଜଣ କୃଷି ବିଭାଗର ଅଧିକାରୀ ଏବଂ ଜଣେ ଲେଖାଏଁ କୃଷି ବୈଜ୍ଞାନିକ ଅଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟିମ୍‌ ଗୁଡ଼ିକ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ବର୍ତମାନ ଯାଏଁ ଚକଡ଼ା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ। ବରଂ ପ୍ରବଳ ଆର୍ଦ୍ରତା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଚକଡ଼ା ବଂଶ ବିସ୍ତାର କରୁଥିବା ଟିମ୍‌ ଠଉରାଇଛି। କିଛି କୀଟନାଶକ ବ୍ୟବହାର କଲେ ବି ଚକଡ଼ାରୁ ରକ୍ଷା ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ନିର୍ଦ୍ଧାରିତ କୀଟନାଶକ ସିଂଚନ ପାଇଁ ଚାଷୀଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
୨ କମ୍ପାନି ବିରୋଧରେ ମାମଲା ହେବ
ଜିଲ୍ଲାରେ ଗତବର୍ଷ ଚକଡ଼ା ପୋକ ଯୋଗୁଁ ବ୍ୟାପକ ଫସଲ ହାନୀ ହୋଇଥିଲା। ଚାଷୀ ତୁହାକୁ ତୁହା କୀଟନାଶକ ସିଂଚନ କଲେ ବି ଚକଡ଼ା ଉପରେ କିଛି ଫରକ୍‌ ପଡ଼ିନଥିଲା। ଫଳରେ ଚାଷୀମାନେ ବ୍ୟବହାର କରୁଥିବା କୀଟନାଶକର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରରୁ ଗୋଟିଏ ବିଶେଷଜ୍ଞ ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି କୀଟନାଶକ ନମୁନା ସଂଗ୍ରହ କରିଥିଲେ। ସେତେ ବେଳେ ୧୨୭ଟି ନମୁନା ଲାବ୍‌କୁ ପରୀକ୍ଷା ପାଇଁ ପଠାଯାଇଥିଲା। ଏଥିରୁ ୬ଟି ଅତିନିମ୍ନମାନର ବୋଲି ଜଣାପଡ଼ିଛି। ସଂପୃକ୍ତ କମ୍ପାନି ଗୁଡ଼ିକୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଜାରି ହେବାର ୨୮ଦିନ ମଧ୍ୟରେ କମ୍ପାନି ଗୁଡ଼ିକ ପୁନଃ ପରୀକ୍ଷା ପାଇଁ ଆବେଦନ କରି ପାରିବେ। ତେବେ ୨ଟି କମ୍ପାନି ପୁନଃ ଆବେଦନ କରିନଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର