ବଦଳିବ କ୍ଲେମ ରିପୋର୍ଟ:ଜୁନ ୨୦ ସୁଦ୍ଧା ଖରିଫ ଫସଲ ବୀମା

ବରଗଡ଼: ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ବରଗଡ଼ ଜିଲ୍ଲାର ଚାଷୀ ଫସଲ ବୀମା ଅପେକ୍ଷାରେ ଅଛନ୍ତି। ୨୦୧୭ ଖରିଫ ଫସଲ ବୀମା ନେଇ ଚାଷୀ ଏବଂ ବୀମା ସଂସ୍ଥା ମଧ୍ୟରେ ତିକ୍ତତା ଲାଗି ରହିଛି। କ୍ଲେମ ରିପୋର୍ଟରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀମାନେ ଉଗ୍ର ହୋଇ ପଡ଼ିଥିଲେ। ବିଭିନ୍ନ ଅଫିସ୍‌ ଏବଂ ବୀମା ସଂସ୍ଥା କାର୍ଯ୍ୟାଳୟରେ ତାଲା ମାରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଯେଉଁଥିରେ କ୍ଲେମ ରିପୋର୍ଟ ଉପସ୍ଥାପନ କରିବାକୁ ଚାଷୀ ପ୍ରତିନିଧି ମାନେ ବୀମା ସଂସ୍ଥା କର୍ତୃପକ୍ଷଙ୍କୁ କହିଥିଲେ। ଇତିମଧ୍ୟରେ ଚାଷୀଙ୍କୁ ୨୦୧୭ ଖରିଫ ଫସଲ ବୀମାର କ୍ଲେମ ରିପୋର୍ଟ ମିଳି ଯାଇଛି। କିନ୍ତୁ ଏଥିରେ ସାଂଘାତିକ ଭୁଲ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କ୍ଲେମ ରିପୋର୍ଟରେ ଚାଷୀଙ୍କୁ ନିର୍ଦ୍ଧାରିତ ବୀମା ରାଶିରୁ ଅଧା ମିଳିବ ବୋଲି ଉଲ୍ଲେଖ ରହିଛି। ଯାହାକୁ ବିରୋଧ କରି ଚାଷୀମାନେ ପୁନର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ସୋମବାର ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଯେଉଁଥିରେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ନ୍ୟାସନାଲ ଇନ୍‌ସ୍ୟୁରାନ୍ସର ଓଡ଼ିଶା ମୁଖ୍ୟ ସୁକାନ୍ତ ମିଶ୍ର, ବିଭିନ୍ନ ଚାଷୀ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ। କ୍ଲେମ ରିପୋର୍ଟରେ ବୀମା ଟଙ୍କା କମ୍‌ ଦର୍ଶା ଯାଇଥିବା ଚାଷୀମାନେ ଅଭିଯୋଗ କରିଥିଲେ। ତେବେ ଏହି ପ୍ରାରମ୍ଭିକ ରିପୋର୍ଟରେ ସାମାନ୍ୟ ତ୍ରୁଟି ରହିଛି। ଚୂଡ଼ାନ୍ତ ରିପୋର୍ଟରେ ପ୍ରତି ଚାଷୀଙ୍କ ବୀମା ରାଶି ସଂଶୋଧିତ ହାରରେ ସାମିଲ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସୂଚନା ମୁତାବକ, ୨୦୧୭ ଖରିଫ ପାଇଁ ୨୩୬ଟି ଗାଁର ଚାଷୀ ବୀମା ଭୁକ୍ତ ହୋଇଥିଲେ। ପ୍ରାଥମିକ କ୍ଲେମ ରିପୋର୍ଟରେ ୭୧ଟି ଗାଁର ତଥ୍ୟ ଠିକ୍‌ ରହିଛି। ବଳକା ଗାଁର ଚାଷୀଙ୍କ ସୂଚୀରେ ପରିବର୍ତନ ହେବ। ଜୁନ ୨୦ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କୁ ବୀମା ଟଙ୍କା ମିଳିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୀମା ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର