କିଏ ଡ଼ାକେ ଜୋକର, କିଏ କହେ ନାଟୁଆ ! ଲୋକଙ୍କ ଓଠର ଧାରେ ହସ ପାଇଁ ଭୁଲିଯାଆନ୍ତି ସବୁ ଦୁଃଖକଷ୍ଟ

ବୌଦ୍ଧାୟନ ଆଚାର୍ଯ୍ୟ

ଭୁବନେଶ୍ୱର/ବରଗଡ଼: ସନ୍ଧ୍ୟା ଆସେ, ସିଏ ସଜେଇ ହୁଅନ୍ତି | ଆଖିରେ କଜଳ, ଓଠରେ ନାଲି ରଙ୍ଗ ଓ ନାକ ତଳେ କୁନି ନିଶ | ମୁଣ୍ଡରେ ନାଲି ଟୋପି ଓ ମୁଁହରେ କୌତୁକିଆ ଭଙ୍ଗୀ ଦେଖାଇ ସେ ସମସ୍ତଙ୍କୁ ହସାନ୍ତି | କିଛି ଦେଖିକି ତାଙ୍କୁ ହସନ୍ତି, କିଛି ତାଙ୍କ ସହ ସେଲ୍ଫି ଉଠାନ୍ତି, କିଏ ପୁଣି କମେଣ୍ଟ ମାରି ଚାଲିଯାନ୍ତି | ଓଡ଼ିଶାର ଯେଉଁଠି ମେଳା ପଡେ ସାଙ୍ଗରେ କିଛି ରଙ୍ଗ, ନକଲି ନିଶ, ଖଣ୍ଡିଏ ବାଡ଼ି ଓ ଦର୍ଶକଙ୍କ ପାଇଁ ହସର ଗଣ୍ଠିଲି ନେଇ ସେ ଯାଆନ୍ତି | ତାଙ୍କ ନାଁ ସରୋଜ ସାହୁ, ବରଗଡ଼ କୁମ୍ଭାରୀରେ ତାଙ୍କର ଘର | ୧୫ ବର୍ଷ ବୟସରୁ ସେ ଏମିତି କଳା ଦେଖାଉଛନ୍ତି | ଆଗରୁ ରାଧା, ଭାରତମାତା, ବିଦେଶୀ ମହିଳା ହେଉଥିବା ସରୋଜ ଏବେ କିନ୍ତୁ ଚାର୍ଲି ଚାପଲିନ୍ ହିଁ ହେଉଛନ୍ତି |


ଖଣ୍ଡିଏ ଲୁହା ଟେବୁଲ ଉପରେ ବାଡ଼ିଟିକୁ ରଖି ସେ ଝୁଲୁଥାନ୍ତି | ଘଣ୍ଟେ କି ଦି ଘଣ୍ଟା ନୁହେଁ, ବରଂ ୬ ଘଣ୍ଟା ଧରି ଝୁଲି ରହିବାକୁ ପଡେ | ଯଦି କେବେ ଭାରସାମ୍ୟ ହରାଇ ଝୁଲିପାରନ୍ତି ନାହିଁ ସେଦିନ ଆଉ ପାଉଣା ମିଳେନି | ତାଙ୍କୁ କଷ୍ଟ ହୁଏ, କିନ୍ତୁ ଲୋକଙ୍କ ଓଠର ଧାରେ ହସ ତାଙ୍କୁ ସବୁଦିନ ସଜେଇହେବାକୁ କହେ | ବର୍ଷକର ଅଧା ଦିନ ଚାଷ କରିବାକୁ ପଡେ | କେମିତି ବା ନ କରିବେ, ଚାଷ ପରା ତାଙ୍କର ପେସା | କଳା ଦେଖାଇବା ନିଶା ହୋଇପାରେ କିନ୍ତୁ ଜୀବନର ପ୍ରତିଟି ଦୁଆରରେ ପେସା ବି କବାଟ ଠକଠକ କରେ |

ଘର କଥା ମନେ ପଡେ କି ପ୍ରଶ୍ନରେ ସେ କୁହନ୍ତି : କଳା ଦେଖାଇବାକୁ ଯେବେ ୧୨ ବର୍ଷ ତଳେ ଏହି ଅନୁଷ୍ଠାନକୁ ଆସିଥିଲି, ସେବେ ୟାକୁ ଆଉ ଏକ ଘର କରିସାରିଛନ୍ତି, କେମିତି ଛାଡି ଚାଲିଯିବେ ବୋଲି ସରୋଜ କୁହନ୍ତି |

କଳା ପ୍ରଦର୍ଶନ ବେଳେ ସରୋଜଙ୍କୁ କିଏ ଚାର୍ଲି ଚାପଲିନ ଡାକନ୍ତି ତ କିଏ ପୁଣି ଜୋକର ଡାକନ୍ତି, ଆଉ କିଛି ନାଟୁଆଟିଏ ବି କହିବାକୁ ପଛାନ୍ତି ନାହିଁ | ଲୋକଙ୍କ ହସ ପାଇଁ ନିଜକୁ ସବୁଦିନ ସନ୍ଧ୍ୟାରେ ସଜାନ୍ତି | କେମିକାଲ ମିଶା ରଙ୍ଗ ଓ ପାଉଡର ବୋଳି ମଞ୍ଚକୁ ଯାଆନ୍ତି |

ସହାୟତା: ପଦ୍ମଲୋଚନ ସାହୁ, ବରପାଲି ପ୍ରତିନିଧି, ସମ୍ବାଦ

ସମ୍ବନ୍ଧିତ ଖବର