ପୁଲିସ୍‌ ବିରୋଧରେ ବୁଦ୍ଧିଜୀବୀଙ୍କ ମେଳି:ଯୁବକଙ୍କୁ ମାଡ଼ ଘଟଣା

ବରଗଡ଼: ଗତ ୧୨ ତାରିଖ କିଛି ପୁଲିସ୍‌ କର୍ମଚାରୀ ଅମିତ ନାମକ ଜଣେ ଯୁବକଙ୍କୁ ଅକାରଣେ ସାଂଘାତିକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଏଣେ ପୁଲିସ୍‌ର ଅନ୍ୟଥା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଜଗନ୍ନାଥ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପୁଲିସ୍‌ ଉକ୍ତ ଯୁବକଙ୍କ ନାମରେ ଏକ ମିଥ୍ୟା ମାମଲା ରୁଜୁ କରିଛି ବୋଲି ବୈଠକରେ ଅଭିଯୋଗ ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ପ୍ରତିନିଧି ଦଳ ଆଗାମୀ ଦିନରେ ଡିଆଇଜି, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟି ଦାବି କରିବ।

ଅମିତଙ୍କ ବିରୋଧରେ ଥିବା ମାମଲା ତୁରନ୍ତ ପ୍ରତ୍ୟାହାର ସହ ଦୋଷୀ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ତୀବ୍ର ଦାବି ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସଂଘର ସଭାପତି ପ୍ରଦୀପ ଦେବତା ସଭାର ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଓକିଲ ସଂଘ ସଭାପତି ଅଶୋକ ଯୋଶୀ, ସଂପାଦକ ଲିପ୍‌ସିତ ମିଶ୍ର, ପୂର୍ବତନ ବିଧାୟକ ସାଧୁ ନେପାକ, ଜିଲ୍ଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢ଼ୀ, ବିଜେପି ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁ, ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର, ସୁରେଶ୍ୱର ଶତପଥୀ, ପ୍ରୀତମ ସିଂ, ଦୀପକ ରଥ, ପାଣ୍ଡବ କର୍ଣ୍ଣ, ସରୋଜ ମହାପାତ୍ର, ଅମୂଲ୍ୟ ପତି, ସୁନୀଲ ପୁରୋହିତ, ଇଂ. ଦେବବ୍ରତ ମିଶ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ଶେଖ ନଜିମୁଦ୍ଦିନ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର