ବିଜେଡି, ବିଜେପିକୁ ଘେରିଲା କଂଗ୍ରେସ

ବରଗଡ଼ : ବିଜେପି ଏବଂ ବିଜେଡି ପରେ ଅପରାହ୍ନରେ ମହାରାଜା ହୋଟେଲରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଉଭୟ ଦଳକୁ କଡ଼ା ସମାଲୋଚନା କରିଛି। ଉପନିର୍ବାଚନରେ ଉଭୟ ଦଳ ଖୋଲାଖୋଲି କଳାଟଙ୍କା ବ୍ୟବହାର କରିଛନ୍ତି। ଏହାକୁ ଦୃଷ୍ଟି ନଦେବା ନିର୍ବାଚନ କମିସନର ନିରପେକ୍ଷତା ଓ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ବୋଲି ଦଳ ଅଭିଯୋଗ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା  ନିର୍ବାଚନମଣ୍ଡଳୀର ତିନୋଟି ବ୍ଳକରେ ଥିବା କୃଷି ଓ କୃଷକର ସମସ୍ୟା, ଧାନର ଅଭାବୀ ବିକ୍ରି, ଦାଦନ ସମସ୍ୟା, ମରୁଡି ଏବଂ ନିଯୁକ୍ତି ଓ କର୍ମସଂସ୍ଥାନ ଅଭାବ ପ୍ରସଂଗ ଉଠାଇଥିଲେ। ଚାଷୀ ଓ ବୁଣାକାର ସମସ୍ୟାରେ ଛଟପଟ ହେଉଥିବା ବେଳେ ବିଜେପି ଏବଂ ବିଜେଡି ଏହାକୁ ଅଣଦେଖା କରିଛନ୍ତି। ବରଂ କଳାଟଙ୍କା ବିଛାଇ ଭୋଟ୍‌ ଗୋଟାଇବାକୁ ଯୋଜନା କରୁଛନ୍ତି। ଏହା ଗଣତନ୍ତ୍ରର ହତ୍ୟା। ପ୍ରଚାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦୁଇ ଦଳ  ପ୍ରତ୍ୟେକ ଭୋଟରଙ୍କୁ ୫ ରୁ ୭ ହଜାର ଟଙ୍କା ବାଣ୍ଟୁଛନ୍ତି। ତେଣୁ ସ୍ୱଚ୍ଛ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଋଣ ଭାରରେ ଲଦି ହୋଇଥିବା ଏହି  ଚାଷୀ ଅଚଂଳରେ ଉଭୟ ଦଳ ବ୍ୟୟ ବହୁଳ ପ୍ରଚାରରେ ବ୍ୟସ୍ତ। ଭୋଟର୍‌ଙ୍କୁ ମାତାଲ କରି ଭୋଟ୍‌ କିଣିବା ପ୍ରୟାସ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ଜିତିବା ଛଡ଼ା ରାଜ୍ୟ ସରକାରଙ୍କୁ କିଛି ଦିଶୁ ନଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତାଚ୍ଛଲ୍ୟ କରିଛନ୍ତି। ଭୋଟ୍‌ ପାଇଁ ମୂଲଚାଲ କରିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ। କିନ୍ତୁ ନିର୍ବାଚନ କମିସନର ଏନେଇ ନିରବ ରହିବା ଗଣତନ୍ତ୍ର ପ୍ରତି ବିପଦ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ, ଜିଲ୍ଳା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢ଼ୀ, ପିସିସି ସଂପାଦକ ଆନନ୍ଦ ପ୍ରଧାନ, ନିପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର