ଦୁର୍ଦଶାକୁ ଠେଲି ଦେଲା କରକା ମାଡ଼

ବରଗଡ଼ : ଗତ ୩୦ ତାରିଖ ବରଗଡ଼ ଜିଲ୍ଲାର ଚାଷୀ ଭୟଂକର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଗତ ଦିନରେ କ୍ରମାଗତ ମରୁଡ଼ି, ଚକଡ଼ା ପୋକ ଯୋଗୁଁ ସର୍ବସ୍ୱାନ୍ତ ହୋଇ ସାରିଥିଲେ। ରବି ଋତୁରେ ଭଲ ଅମଳ ହେଲେ ପୂର୍ବ ଯନ୍ତ୍ରଣା କିଛି ଭରଣା ହେବ ବୋଲି ଚାଷୀ ଆଶା ବାନ୍ଧି ଥିଲେ। ହେଲେ ଅଚାନକ ଝଡ଼ବର୍ଷା ଏବଂ ତୁହାକୁତୁହା କୁଆପଥର ମାଡ଼ ଜିଲ୍ଲାର ଚାଷବାସ ଉଜାଡ଼ି ଦେଇଛି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଭେଡ଼େନ, ବରପାଲି ଏବଂ ବରଗଡ଼ ବ୍ଲକ। ପ୍ରଶାସନ ଏବଂ କୃଷି ବିଭାଗର ଅଧିକାରୀମାନଙ୍କ ଆଖି ଦେଖା ରିପୋର୍ଟ ଭୟଂକର ସ୍ଥିତିର ଝଲକ ଦେଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଉକ୍ତ ତିନୋଟି ବ୍ଲକର ୪୬ଟି ପଞ୍ଚାୟତର ମୋଟ୍‌ ୧୪,୪୯୦ ହେକ୍ଟର ଜମିରେ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇସାରିଛି। ଏଥିରୁ ଭେଡ଼େନ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବ୍ଲକର ୧୯ଟି ପଞ୍ଚାୟତର ୮୭ଟି ଗାଁର ୭୬୯୦ ହେକ୍ଟର ଜମିରେ ଫସଲ ଉଜୁଡ଼ିଛି। ସେହିପରି ବରପାଲି ବ୍ଲକର ୧୮ଟି ପଞ୍ଚାୟତର ୪୫ଟି ଗାଁରେ ୬୪୧୦ ହେକ୍ଟର ଫସଲ ନଷ୍ଟ ହୋଇଛି। ବରଗଡ଼ ବ୍ଲକରେ ୯ଟି ପଞ୍ଚାୟତର ୧୨ଟି ଗାଁରେ ୩୯୦ ହେକ୍ଟର ଜମିରେ ଧାନ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ, ଧାରଣା ଜାରି ରହିଛି। ଇତିମଧ୍ୟରେ ଜିଲ୍ଲାରେ ଜଣେ ଚାଷୀ ଫସଲ ନଷ୍ଟ ଯୋଗୁଁ ଜୀବନ ହରାଇ ସାରିଲେଣି। ଆଉ ଜଣେ ଗୁରୁବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସର୍ବ ସମ୍ମୁଖରେ ବିଷ ପିଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଚାଷ ଉଜୁଡ଼ି ଯିବାରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଜୁନାନି ଗାଁର ଚାଷୀ ହୃଦାନନ୍ଦ ଡିଲା(୩୫) ବିଷଖାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ ହୃଦାନନ୍ଦ ନିଜର ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ। ଗତ ବର୍ଷ ଚକଡା ପୋକ ଲାଗିବାରୁ ୭୦ଭାଗ ଫସଲ ନଷ୍ଟ ହୋଇଥିଲା। ଏଥର ଅଦିନିଆ ବର୍ଷା ଓ କରକା ମାଡ଼ରେ ପୁଣି ଧାନ ଚାଷ ନଷ୍ଟ ହୋଇଯାଇଛି। ଶେଷରେ ଋଣଭାରରେ ମାନସିକ ସ୍ଥିତି ହରାଇ ସେ ବିଷ ପିଇଥିବା କୁହାଯାଇଛି। ଚାଷୀମାନେ ଖରିଫ ଋତୁର ବୀମା ପାଇନଥିବା ବେଳେ ଏବେ ଫସଲ ନଷ୍ଟ ହେବା ସେମାନଙ୍କ ପାଇଁ କାଳ ସାଜିଛି।

ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଅଞ୍ଚଳରେ ଅଦିନିଆ ଝଡ଼ ଏବଂ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ବର୍ତ୍ତମାନ ଫସଲ ଅମଳ ସ୍ଥିତିକୁ ଆସିଲା ବେଳକୁ ଏଭଳି ବିପର୍ଯ୍ୟୟ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ବସନ୍ତପୁର, କର୍ଡୋଲା, କୁଦଗୁଣ୍ଡେରପୁର, ତାଲବ, ଦେବେଇପାଲି, ଶାସନ, କନଖଇଣ୍ଡା, ବିଶିପାଲି, ବିଶାଲଖିଣ୍ଡା, କଁଟାପାଲିରେ ଝଡ଼ ଯୋଗୁଁ କ୍ଷୟକ୍ଷତି ହୋଇଛି। ଝାରସୁଗୁଡ଼ାର ବୃନ୍ଦାମାଲ, ବଡ଼ମାଳ, ଭୁର୍କାମୁଣ୍ଡା, ପୁରୁଣା, ସରବାହାଲ, ଏକତାଲି ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା, ରାମପୁର ପ୍ରଭୃତି ଅଞ୍ଚଳରେ ଧାନ ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର