ଫସଲ ବୀମା ତାତି: ବ୍ୟାଙ୍କରେ ତାଲା ପକାଇଲେ ଚାଷୀ:ତ୍ରିପାକ୍ଷିକ ଆଲୋଚନା ଆନ୍ଦୋଳନ ସ୍ଥଗିତ

ବରଗଡ଼: ୨୦୧୭ ମସିହାର ଖରିଫ ଫସଲ ବୀମା ରାଶି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ପୁଣି ତାତିଛନ୍ତି। ବରଗଡ଼ ଜିଲ୍ଲା ଚାଷୀ ସଂଗଠନ ସମନ୍ଵୟ ସମିତିର ଆହ୍ଵାନ କ୍ରମେ ବୁଧବାର ଚାଷୀମାନେ ବିଭିନ୍ନ ବ୍ଲକରେ ଏକତ୍ରିତ ହୋଇ ବ୍ୟାଙ୍କ, ବୀମା ସଂସ୍ଥା କାର୍ଯ୍ୟାଳୟରେ ତାଲା ଠୁଙ୍କିଛନ୍ତି। କ୍ଲେମ ରିପୋର୍ଟରେ ବାରମ୍ବାର ତ୍ରୁଟି ହେବା ଯୋଗୁଁ ବୀମା ରାଶି ପାଇବା ନେଇ ଚାଷୀ ଆଶଂକା ଘେରରେ ଅଛନ୍ତି। ୨୦୧୭ ଖରିଫ ପାଇଁ ୨୩୬ଟି ଗାଁର ଚାଷୀ ବୀମା ଭୁକ୍ତ ହୋଇଥିଲେ। ପ୍ରାଥମିକ କ୍ଲେମ ରିପୋର୍ଟରେ ୭୧ଟି ଗାଁର ତଥ୍ୟ ଠିକ୍‌ ଥିବାବେଳେ ବଳକା ଗାଁରେ ଚାଷୀଙ୍କୁ ନିର୍ଦ୍ଧାରିତ ବୀମା ରାଶିରୁ ୫୦ ପ୍ରତିଶତ କମ୍‌ ମିଳିବ ବୋଲି ଦର୍ଶାଯାଇଥିଲା। ଫଳରେ ଚାଷୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପୁନର୍ବାର ଆନ୍ଦୋଳନ କରିଥିଲେ। ଜିଲ୍ଲାର ସମସ୍ତ ବ୍ୟାଙ୍କରେ ତାଲା ମାରିବା ପରେ ପ୍ରତିନିଧି ଦଳ ବରଗଡ଼ ପହଂଚିଥିଲା। ଏଠାରେ ମଧ୍ୟ ସମାନ ଧରଣରେ ପ୍ରତିବାଦ କରାଯାଇଛି।

ପରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ। ବୀମା ରାଶି ନେଇ ସ୍ପଷ୍ଟ ଚିତ୍ର ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ। ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଅନ୍ୟ ଜନପ୍ରତିନିଧି ଅସନ୍ତୁଷ୍ଟ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ। ସଂଧ୍ୟା ସୁଦ୍ଧା ଏନେଇ ସରଗରମ ସ୍ଥିତି ରହିଥିଲା। ଏହାପରେ ଚାଷୀଙ୍କୁ ବୀମା ରାଶି ପାଇଁ ଟିଓ୍ଵାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ପ୍ରଶାସନ, ବୀମା ସଂସ୍ଥା ଏବଂ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଆସନ୍ତା ୨୦ ତାରିଖରୁ ବୀମା ରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହେବା ପରେ ଚାଷୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଆଲୋଚନା ବେଳେ ଚାଷୀ ପ୍ରତିନିଧି ଭାବେ ଜୟକୃଷ୍ଣ ସାହୁ, କିଶୋରଚନ୍ଦ୍ର ଦେବତା, ସୁଦାମ ଚରଣ ପଧାନ, ପଞ୍ଚାନନ ଦଳପତି, ସଦାନନ୍ଦ ପୂଜାହାରୀ, ଲକ୍ଷ୍ମଣ ପ୍ରଧାନ, ଡୋଳାମଣି ସାହୁ, କୃଷ୍ଣଚନ୍ଦ୍ର ସାହୁ, ସତ୍ୟବାନ ସାହୁ, ଅରୁଣ ପ୍ରଧାନ, ଶ୍ରୀକାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର