ଐତିହାସିକ ଧନୁଯାତ୍ରା ଉଦ୍‌ଘାଟିତ, ବରଗଡ଼ରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବ କଂସ ରାଜ

ବରଗଡ଼: ବରଗଡ଼ରେ ଶୁକ୍ରବାର ସନ୍ଧ୍ୟାରେ ଐତିହାସିକ ଧନୁଯାତ୍ରା ଉଦ୍‌ଘାଟିତ ହୋଇ ଯାଇଛି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ସାଂସଦ ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ରାଜ ଅତିଥି ଭାବରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ, ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଅତିଥି ଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସଂଯୋଜକ ସୁରେଶ୍ୱର ଶତପଥୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାଜ ଦରବାର କମିଟିର ସଂଯୋଜକ ରାଜେନ୍ଦ୍ର ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ରେ ୧୧ ଦିନ ପର୍ଯ୍ୟନ୍ତ କଂସ ରାଜ ଦେଖିବାକୁ ମିଳିବ।

ଧନୁଯାତ୍ରା ପାଇଁ ବରଗଡ଼ ଉତ୍ସବ ମୁଖର ହୋଇ ଉଠିଛି। ଯାତ୍ରା ପ୍ରେମୀ ଲୋକଙ୍କୁ ଶୀତ କିଛି କରିପାରୁ ନାହିଁ। ପ୍ରଥମ ଦିନ ହୋଇଥିବାରୁ ମୀନାବଜାର ସଂପୂର୍ଣ୍ଣ ରୂପେ ପରିଚାଳିତ ହୋଇ ପାରି ନାହିଁ। ଶନିବାର ଠାରୁ ଧନୁଯାତ୍ରାରେ ଅଧିକ ଲୋକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।

ପୌରାଣିକ କଥାବସ୍ତୁକୁ ନେଇ ମୁକ୍ତମଂଚରେ ଏହି ଯାତ୍ରା ୧୧ ଦିନ ଧରି ଚାଲିବ। ଧନୁଯାତ୍ରା ପାଇଁ ଅମ୍ବାପାଲିକୁ ଗୋପପୁର ଢଙ୍ଗରେ ସଜା ଯାଇଛି। ଅମ୍ବାପାଲିବାସୀ ଧନୁଯାତ୍ରା ନେଇ ବେଶ ଉତ୍ସାହିତ ଦେଖାଯାଇଛନ୍ତି। ଏଥି ପାଇଁ କଳାକାର ଓ ଗ୍ରାମବାସୀ ପ୍ରସ୍ତୁତି ଶେଷ କରିଛନ୍ତି। କାରଣ ଅମ୍ବାପାଲି ଗାଁରେ କୃଷ୍ଣଲୀଳାର ଦୃଶ୍ୟ ଅଭିନିତ ହେବ। ବରଗଡ଼ରେ ୧୧ ଦିନ ପର୍ଯ୍ୟନ୍ତ ଧନୁଯାତ୍ରା ହେଉଥିବାରୁ ବନ୍ଧୁବାନ୍ଧବଙ୍କ ସୁଅ ଛୁଟିଛି। ପୌଷ ପୂର୍ଣ୍ଣିମା ଅବସରରେ ଏହି ଯାତ୍ରା ଜାନୁଆରି ୨୧ରେ ଶେଷ ହେବ।

ସମ୍ବନ୍ଧିତ ଖବର