ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ବିଜେପୁରରେ ମୋଦିଙ୍କ ‘ମନ୍‌ କି ବାତ୍‌’

ବିଜେପୁର : ହୀରାକୁଦ ନଦୀବନ୍ଧର ପାଣିରେ ଧାନ ଚାଷ କରିବା ଦ୍ୱାରା ବରଗଡ଼ ଜିଲ୍ଲା ଏକଦା ଓଡ଼ିଶାର ଭାତହାଣ୍ଡି କୁହାଯାଉଥିଲା। ମାତ୍ର ଏହି ଜିଲ୍ଲାରେ ଏବେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଚାଷୀଙ୍କ ପ୍ରତି ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ବିଜେପୁର ପାଇଁ ପ୍ୟାକେଜ ଘୋଷଣା ଚାଲିଛି। ରାଜ୍ୟର ଶାସନରେ ପରିବର୍ତ୍ତନ ହେବାର ସମୟ ଆସିଛି ବୋଲି ବରଗଡ଼ ଜିଲ୍ଲା ବିଜେପୁର ବସ୍‌ଷ୍ଟାଣ୍ଡ ଠାରେ ଆୟୋଜିତ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଜୟ ମାଲ୍ୟାଙ୍କ ଟଙ୍କାଛାଡ଼ ଉଦାହରଣ ମାଧ୍ୟମରେ କଂଗ୍ରେସ ସରକାରଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ ଏବଂ ଜନତା ମଧ୍ୟରେ ସେ ଅନ୍ତରାୟ ହେବେ ନାହିଁ ବରଂ ସମସ୍ତେ ଏହି କାଯ୍ୟର୍କ୍ରମରେ ଅଂଶ ଗ୍ରହଣ କରନ୍ତୁ ବୋଲି ଆହ୍ଵାନ ଦେଇଥିଲେ। ଦେଶପ୍ରତି ଆକର୍ଷିତ ହେବା, ଶୃଙ୍ଖଳିତ ହେବା ପାଇଁ ଯୁବ ସମାଜ ତଥା ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’କୁ ପ୍ରୋଜେକ୍ଟର ମାଧ୍ୟମରେ ଜନତାଙ୍କୁ ଶୁଣାଯାଇଥିଲା। ବିଜେପୁରର ଏହି ସମାବେଶରେ ବରିଷ୍ଠ ନେତା ସୁରେଶ୍ୱର ଶତପଥୀ ପୈାରୋହିତ୍ୟ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ପୂର୍ବ ବିଧାୟକ ଅଶୋକ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାଉରୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଅନୁରୂପ ଭାବେ ବିଜେପୁର ବ୍ଲକ୍‌ର ଅନ୍ୟ ବୁଥରେ ମଧ୍ୟ ଏହି ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର