ମହାନଦୀରେ ବେଆଇନ୍‌ ଇଟାଭାଟି

ବରଗଡ଼: ମହାନଦୀ କ୍ରମଶଃ ମାଫିଆଙ୍କ କବ୍‌ଜାକୁ ଚାଲି ଯାଇଛି। ବେଆଇନ୍‌ ମାଛମରା, ଗୋ-ଚାଲାଣ ପାଇଁ ମହାନଦୀକୁ ମାଫିଆମାନେ ବ୍ୟବହାର କରୁଥିଲେ। ଏହି ରୢାକେଟ୍‌ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ର ମାଫିଆମାନେ ମିଳିତ ଭାବେ ଚଳାଉଛନ୍ତି। ଖରା ବଢ଼ିବା ସାଂଗକୁ ମହାନଦୀ କୂଳରେ ବେଆଇନ୍‌ ଭାବେ ଇଟାଭାଟି ଗଢ଼ି ଉଠିଛି। ବିନା ଲାଇସେନ୍ସ ଏବଂ କାଗଜପତ୍ରରେ ଏସବୁ ଇଟାଭାଟି ଚାଲିଛି। କେବଳ ମହାନଦୀ ନୁହେଁ ଛତିଶଗଡ଼-ପଦ୍ମପୁର ସଂଲଗ୍ନ ଅଂଗନଦୀ, ଜୀରା ଏବଂ ଭେଡ଼େନ ନଦୀ କୂଳରେ ମଧ୍ୟ ବେଆଇନ ଇଟାଭାଟି ଚାଲୁଥିବା ସାମନାକୁ ଆସିଛି। ଏସବୁ କାରନାମା ଯୋଗୁଁ ଜଳସ୍ରୋତ ଗୁଡ଼ିକ ବ୍ୟାପକ ଭାବେ ପ୍ରଦୂଷିତ ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ ନୀତିନିୟମକୁ ଏଠାରେ ଅବମାନନା କରାଯାଉଛି। ସାଧାରଣତଃ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଏସବୁ ଅସ୍ଥାୟୀ ଇଟାଭାଟି ତିଆରି ହେଉଛି। ଗୋଟିଏ ଗୋଟିଏ ଭାଟିରୁ ପାଖାପାଖି ୩ରୁ ୮ଲକ୍ଷ ପର୍ଯ୍ୟନ୍ତ ଇଟା ବାହାରୁଛି। ମାଫିଆମାନେ ମା‌ଲାମାଲ ହେଉଥିବାବେଳେ ସରକାର ମୋଟା ଅଂକର ରାଜସ୍ବ ହରାଉଛନ୍ତି। ନିୟମ ମୁତାବକ, ବନ୍ୟା ଆଂଶକା ଥିବା ଅଂଚଳରେ ନଦୀକୂଳ ଠାରୁ ୨୫୦ ମିଟର୍‌ ଦୂରତା ଯାଏଁ ଇଟା ଭାଟି ସ୍ଥାପନ କରିହେବ ନାହିଁ। ବନ୍ୟା ଆଶଂକା ନଥିବା ଅଂଚଳରେ ନଦୀ ପଠା ଠାରୁ ୫ଶହ ମିଟର୍‌ ଦୂରତା ଭିତରେ ଇଟାଭାଟି କରିବା ନିଷେଧ। ଏହାବାଦ ଚାଷଜମିର ୫୦ମିଟର୍‌ ପରିଧି ଏବଂ ରାସ୍ତାଠାରୁ ୨ଶହ ମିଟର୍‌ ଦୂରତା ଭିତରେ ମଧ୍ୟ ଭାଟି କରି ହେବ ନାହିଁ। କିନ୍ତୁ ଏସବୁ ନିୟମକାନୁନକୁ ମାଫିଆମାନେ ଖୋଲା ଉଲଂଘନ କରୁଛନ୍ତି। ବରଗଡ଼-ଭଟଲି, ବରଗଡ଼-ଭେଡ଼େନ ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ନିକଟରେ ଏବଂ ଚାଷଜମିକୁ ଲାଗି ଇଟାଭାଟି ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଏନେଇ କିଛି ପଦକ୍ଷେପ ନହେବା ଆହୁରି ଆଶ୍ଚର୍ଯ୍ୟର କଥା।

ସମ୍ବନ୍ଧିତ ଖବର