ଜିଲ୍ଳାରେ ବୀମା ବିଭ୍ରାଟ:୮ ତାରିଖକୁ ଚାଷୀଙ୍କ ନଜର

ବରଗଡ଼: ଚଳିତ ବର୍ଷ ମାର୍ଚ୍ଚ ମାସରୁ ୨୦୧୭ ଖରିଫ ବୀମାକୁ ନେଇ ଜିଲ୍ଲାବ୍ୟାପୀ ଚାଷୀ ସଂଗଠନ ମାନେ ଆନ୍ଦୋଳନ କରୁଛନ୍ତି। କେତେବେଳେ ରାଜରାସ୍ତା ଅବରୋଧ ତ କେତେବେଳେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସୁଛି। ଚାଷବାସ ଛାଡ଼ି ଚାଷୀ ବୀମା ଟଙ୍କା ପାଇବା ପାଇଁ ଆନ୍ଦୋଳନକୁ ଓହ୍ଲାଉଛି। ବର୍ତମାନ ସ୍ଥିତି ଏଭଳି ଯେ ଜିଲ୍ଲାର ପ୍ରତି ବ୍ଲକରେ ପ୍ରତିଦିନ ଚାଷୀ ଆନ୍ଦୋଳନ ଚାଲିଛି। ସମବାୟ ବ୍ୟାଙ୍କ, ବ୍ଳକ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ସରକାରୀ ଦପ୍ତରକୁ ଅସନ୍ତୁଷ୍ଟ ଚାଷୀମାନେ ବନ୍ଦ କରି ଦେଉଛନ୍ତି। ଏପରିକି କିଛି ବ୍ଲକରେ ସଂପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି। ଏତିକିରେ ବି ଚାଷୀ ନିଜ ହକ୍‌ର ବୀମା ପାଇବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଆସନ୍ତା ୮ ତାରିଖ ଉଚ୍ଚସ୍ତରୀୟ ବୈଠକ ଉପରେ ସଭିଁଙ୍କ ନଜର।

ଏହି ବୈଠକର ଫଳାଫଳ ହିଁ ଚାଷୀଙ୍କ ଆଗାମୀ ରଣନୀତି ସ୍ଥିର କରିବ। ପ୍ରଥମେ କ୍ଲେମ ରିପୋର୍ଟ ଅନୁସାରେ ଚାଷୀଙ୍କୁ ୭୩୪.୬୨ କୋଟି ଟଙ୍କା ବୀମା ମିଳିବ ବୋଲି ସରକାର ଘୋଷଣା କରିଥିଲେ। ବୀମା କମ୍ପାନି ମଧ୍ୟ ଏଥିରେ ରାଜି ଥିଲା। ପରେ କାଣ୍ଟଛାଣ୍ଟ କରି ୬୯୯ କୋଟି ଟଙ୍କା ଦିଆଯିବ ବୋଲି କମ୍ପାନି କହିଥିଲା। ଏବେ ସମୁଦାୟ ବୀମା ରାଶି ୬୩୩ କୋଟି ରହିବ ବୋଲି ସଫେଇ ଦିଆଯାଉଛି। ଅର୍ଥାତ ତାରତମ୍ୟ ରହୁଥିବା ୬୪ କୋଟି ଟଙ୍କା ନେଇ ଉକ୍ତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହେବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ନେଇ ବୈଠକ ବସିବ। ଯେଉଁ ୬୪ କୋଟି ଟଙ୍କା ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ଏହି ବୀମା ରାଶି ୬୦୯ ଜଣ ଚାଷୀଙ୍କର। ୬୦୯ ଜଣ ଚାଷୀ ୧୦ଲକ୍ଷ ଟଙ୍କାରୁ ଅଧିକ ବୀମା ପାଇବାକୁ ଥିବାରୁ ବୀମା କମ୍ପାନି ସେମାନଙ୍କୁ ବୀମା ଟଙ୍କା ଦେଇନାହିଁ। ତେଣୁ ୮ ତାରିଖ ବୈଠକର ଫଳାଫଳକୁ ଜିଲ୍ଲାର ଚାଷୀମାନେ ଅନାଇ ବସିଛନ୍ତି।

ସମ୍ବନ୍ଧିତ ଖବର