ମହୋଦଧିରେ ସ୍ନାନ କରି ପାପ ଧୋଇଲେ କଂସ

ବରଗଡ: ମଙ୍ଗଳବାର ପୁରୀରେ ମହାରାଜ କଂସ ମହୋଦଧିରେ ସ୍ନାନ କରି ପାପ ଧୋଇଛନ୍ତି । ସମୁଦ୍ରରେ ସ୍ନାନ କରିବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୂବନ ପ୍ରଧାନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି କ୍ଷମା ଭିକ୍ଷା କରିଛନ୍ତି । ଏଥିସହିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆର୍ଶୀବାଦ ନେଇଛନ୍ତି । ୧୧ ଦିନ ଧରି ବରଗଡ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଧନୁଯାତ୍ରା ଗତକାଲି ଶେଷ ହୋଇଛି । ଅନ୍ତିମ ଦିନରେ କୃଷ୍ଣ କଂସବଧ କରିଥିଲେ।

ସୂଚନାଯୋଗ୍ୟ, ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଂଗମଂଚରେ ମହାରାଜ କଂସ ବଧ ଅଭିନୀତ ହୋଇଛି । କଂସ ବଧ ସହ ୧୧ ଦିନର ଧନୁଯାତ୍ରାରେ ଯବନିକା ପଡିଛି । ଧନୁଯାତ୍ରାର ଦଶମ ଦିନରେ ଦେଖିବାକୁ ମିଳିଥିଲା କୃଷ୍ଣଙ୍କ ଆଗମନରେ ମଥୁରା ନଗରୀ କିପରି ଉତ୍ସବ ମୁଖର ହୋଇପଡିଥିଲା। ପରେ ସୁଦାମା, ମାଳି ଓ ରଜକଙ୍କ ସହ ସାକ୍ଷାତ ହୋଇଥିବା ବେଳେ କୁବଜାକୁ ଉଦ୍ଧାର କରିଥିଲେ ଭଗବାନ ଶ୍ରୀକୃଷ୍ଣ । ୧୧ ଦିନର ଯାତ୍ରାରେ କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି ମଥୁରା ନଗର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଅଭିନୀତ ହୋଇଥିଲା । ବରଗଡ ପାଲଟିଥିଲା ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଥିଲା ଗୋପପୁର ।

ସମ୍ବନ୍ଧିତ ଖବର