ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ସାମନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ହୋଇଛି। ଜିଲ୍ଲାର ପଦ୍ମପୁର ଉପଖଣ୍ଡସ୍ଥ ଏକ ଗାଁରେ ଏହି ଅଘଟଣ ଘଟିଛି । ଅଭିଯୁକ୍ତ ଜଣକ ହେଲା ମୁକେଶ ମେହେର(୨୪)। ମୁକେଶ ସଂପୃକ୍ତ ନାବାଳିକା ଜଣଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରୁ ଡାକି ନେଇଥିଲା। ଦୁଇ ଦିନ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ୫ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ନାବାଳିକାର ଘରକୁ ଆସି ତାକୁ ଡ଼ାକି ନେଇଥିଲା । ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ରଖିବା ପରେ ନାବାଳିକାଙ୍କୁ ଘରେ ଆଣି ଛାଡ଼ି ଦେଇଥିଲା। ଏହା ପରେ ମୁକେଶ ସେଠାରୁ ଫେରାର ମାରିଥିଲା। ଘଟଣା ସଂପର୍କରେ ଝିଅଟି ଘର ଲୋକଙ୍କୁ ଜଣାଇବା ପରେ ପଦ୍ମପୁର ଥାନାରେ ଲିଖିତ ଏତଲା ଦେଇଥିଲେ। କେସ ନମ୍ବର ୯୫ଦଫା ୩୭୬(୨ଏନ)/୫୦୬ ଆଇପିସି/୬ ପୋକ୍ସୋ ଆକ୍ଟ/୩(୨)ଭିଏ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ କରି ପୁଲିସ ଘଟଣାର ଖୋଳତାଡ଼ କରିଥିଲା। ନାବାଳିକାଙ୍କ ଡାକ୍ତରୀ ମାଇନା ପଦ୍ମପୁର ଡାକ୍ତରଖାନାରେ କରାଯାଇଛି। ପୁଲିସ ଅଭିଯୁକ୍ତ ମୁକେଶଙ୍କୁ ଗୁରୁବାର ଅପରାହ୍ନରେ ଗିରଫ କରି ଶୁକ୍ରବାର ବରଗଡ଼ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଥିବା ପଦ୍ମପୁର ପୁଲିସ୍‌ ସୂତ୍ରରୁ ପ୍ରକାଶ। ପୀଡ଼ିତା ନାବଳିକାଟି ହରିଜନ ସମ୍ପ୍ରଦାୟର। ସେ ନବମ ଶ୍ରେଣୀ ପାଠ ପଢ଼ୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର