ବରଗଡ଼: େଡବ୍ରିଗଡ଼ ଅଭୟାରଣ୍ୟ କ୍ରମଶଃ ବନ ବିଭାଗର ହାତମୁଠାରୁ ଖସିବାକୁ ଲାଗିଛି। ଏଠାରେ ମାଫିଆ ଏବଂ ଶିକାରୀଙ୍କ ରାଜୁତି ଚାଲିଛି। ଗତବର୍ଷ ଡେବ୍ରିଗଡ଼ରେ ବିଲୁପ୍ତ ପ୍ରାୟ ମହାବଳ ବାଘଟିଏ ଠାବ ହୋଇଥିଲା। ଜୀବଜନ୍ତୁ ପ୍ରେମୀ ମହଲରେ ଆନନ୍ଦ ଭରି ଯାଇଥିଲା। କିନ୍ତୁ ନଭେମ୍ବର ମାସରେ ଶିକାରୀମାନେ ଅନାୟାସରେ ମହାବଳକୁ ମାରି ପୋତି ପକାଇଥିଲେ। ଦେଶବ୍ୟାପୀ ଏହି ଘଟଣା ଶିରୋନାମାରେ ରହିଥିଲା। ଏହି ଘଟଣାେର କେନ୍ଦ୍ରୀୟ ଟିମ୍ ଏବଂ ଭିଜିଲାନ୍ସ ବିଭାଗ ଖୋଳତାଡ଼ କଲେ। ଶିକାରୀ ଗିରଫ ହୋଇ ଜେଲ୍ ଗଲେ। କିନ୍ତୁ ଡେବ୍ରିଗଡ଼ରେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏଯାଏଁ କିଛି ଠୋସ୍ ବ୍ୟବସ୍ଥା ହୋଇନାହିଁ। ମହାବଳ ହତ୍ୟା ଘଟଣା ପରେ ବି ବନ ବିଭାଗ କିଛି ଶିକ୍ଷା ପାଇଲା ନାହିଁ। ବର୍ତମାନ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଚାଲିଛି। ଜଳଭଣ୍ଡାର କୂଳରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ପକ୍ଷୀ ରୁଣ୍ଡ ହୋଇଛନ୍ତି। ହେଲେ ଏହି ବିରଳ ଅତିଥି ପକ୍ଷୀମାନେ ଶିକାରୀଙ୍କ ଶିକାର ହେଉଛନ୍ତି। ପ୍ରତିଦିନ ଅଭୟାରଣ୍ୟରେ ଏହି କାରନାମା ଚାଲିଥିଲେ ହେଁ ପାଟ୍ରୋଲିଂ ପାଇଁ କିଛି ଠୋସ୍ ବନ୍ଦୋବସ୍ତ ହୋଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭୟାରଣ୍ୟର ସୀମା ବିବାଦକୁ ନେଇ ବରଗଡ଼ ଏବଂ ସମ୍ବଲପୁର ବନ ବିଭାଗ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି। ଅଭୟାରଣ୍ୟରେ କିଛି ଅଘଟଣ ଘଟିଲେ ଉଭୟ ଜିଲ୍ଲାର ବନ ବିଭାଗ ପରସ୍ପରକୁ ଦୋଷାରୋପ କରି ନିଜ ମୁଣ୍ଡରୁ ଅଠା ଛଡ଼ାଇଥାନ୍ତି। ପକ୍ଷୀ ଏବଂ ଜୀବଜନ୍ତୁ ସୁରକ୍ଷା ମଧ୍ୟ ଏହି ସୀମା ବିବାଦ କାରଣରୁ ସମ୍ଭବ ହେଉନାହିଁ। ଏହି ସୀମା ବିବାଦର ପରିଣାମ ଏଠାରେ ବସବାସ କରୁଥିବା ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଅଭୟାରଣ୍ୟ ପାର୍ଶ୍ବରେ ବାସ କରୁଥିବା ଲୋକେ ଅଭୟାରଣ୍ୟର କେଉଁ ଜିଲ୍ଲାର, ତାକୁ ନେଇ ସବୁବେଳେ ଟଣାଓଟରା ଲାଗି ରହିଥାଏ। ବରଗଡ଼ ଜିଲ୍ଲା ଏବଂ ସମ୍ବଲପୁର ବନବିଭାଗ ଏହି ଦ୍ବନ୍ଦ୍ବ ଦୂର କରିବା ବଦଳରେ କ୍ରମଶଃ ଜଟିଳ କରି ଦେଇଛନ୍ତି। ଡେବ୍ରିଗଡ଼ ସଂଲଗ୍ନ ଏବଂ ଭିତରେ ଥିବା ଗାଁ ଗୁଡ଼ିକରେ ବର୍ଷତମାମ ଜୀବଜନ୍ତୁ ପଶି ବ୍ୟାପକ ଫସଲ ଏବଂ ଘରଦ୍ବାର ନଷ୍ଟ କରିଥାନ୍ତି। ତେବେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ରାଶି କେଉଁ ଜିଲ୍ଲାର ବନ ବିଭାଗ ଦେବ, ତାହା କେବେ ଫଇସଲା ହୋଇପାରୁନି। ଲୋକେ ସହାୟତା ରାଶି ପାଇଁ ଉଭୟ ଜିଲ୍ଲାକୁ ଦୌଡ଼ୁଛନ୍ତି। କିନ୍ତୁ ସୀମା ବିବାଦ ଯୋଗୁଁ କାହାରିକୁ ସହାୟତା ମିଳୁନାହିଁ। ତେଣୁ ଏହି ସୀମା ବିବାଦର ତୁରନ୍ତ ସମାଧାନ ସହ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଠୋସ୍ ଆକ୍ସନ ପ୍ଲାନ୍ କରିବାକୁ ସାଧାରଣରେ ଦାବି ହୋଇଛି।