ପଦ୍ମପୁର ଉପଖଣ୍ଡ ଧାନ ବିକ୍ରିରେ ଅବ୍ୟବସ୍ଥା:ମଣ୍ଡିରେ ପଡ଼ିଛି ୨ ଲକ୍ଷ ୩୨ ହଜାର ବସ୍ତା

ପଦ୍ମପୁର: ପଦ୍ମପୁର ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟା ୧ ମାସ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ବର୍ତ୍ତମାନ ମଧ୍ୟ ଶୁକ୍ରବାର ସୁଦ୍ଧା ବିଭିନ୍ନ ମଣ୍ଡିରେ ୨ ଲକ୍ଷ ୩୨ ହଜାର ବସ୍ତା ଧାନ ପଡିରହିଛି। ବିଶେଷ କରି ଉପାନ୍ତ ଅଂଚଳରୁ ଦୀର୍ଘ ଦିନ ହେବ ଆବଶ୍ୟକ ପରିମାଣର ଧାନ ଉଠିପାରୁ ନଥିବାରୁ ଚାଷୀମାନେ ସିଧାସଳଖ ପ୍ରଶାସନିକ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଖୋଦ୍‌ ଜିଲ୍ଲା ଯୋଗାଣ ବିଭାଗ ସ୍ଥାନୀୟ ମିଲରମାନଙ୍କୁ ଧାନ କିଣା ଅନୁମତି ନଦେବାରୁ ମଣ୍ଡି ମାନଙ୍କରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହୁଛି। ବରଗଡ଼ ଅଂଚଳର ମିଲରମାନେ ନିଜ ମନଇଚ୍ଛା କଟ୍‌ନି କରି ଚାଷୀଙ୍କ ଠାରୁ ଧାନ ଉଠାଇବା ପାଇଁ କହୁଥିବାରୁ ଅନେକ ଚାଷୀ ଧାନ ବିକ୍ରି କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ସ୍ଥାନୀୟ ମିଲର୍ସ ମାନଙ୍କ ଟାର୍ଗେଟ୍‌ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ୨/୩ କଟନିରେ ଧାନ ବିକ୍ରି କରୁଥିବା ଦେଖାଯାଉଛି। ମରୁଡ଼ି ସତ୍ତ୍ୱେ ଶୁକ୍ରବାର ପର୍ଯ୍ୟନ୍ତ ପଦ୍ମପୁର ଉପଖଣ୍ଡର ୩୨ ଗୋଟି ମଣ୍ଡିରେ ୫ ଲକ୍ଷ ୭୫ ହଜାର ୧୮୨ କୁଇଣ୍ଟାଲ ଧାନ ବିକ୍ରି ହୋଇ ସାରିଥିବା ବେଳେ ଉପାନ୍ତ ଅଂଚଳ ଝାରବନ୍ଧରେ ୨୪ ହଜାର ୭୧୩ ବସ୍ତା, ଅମଠିରେ ୨୨ ହଜାର ବସ୍ତା, ଜଗଦଲପୁରରେ ୨୧ ହଜାର ୧୮ ବସ୍ତା, ଜାମସେଠ୍‌, ମାଣ୍ଡୋସିଲ୍‌, ବରତୁଣ୍ଡା, ପଦ୍ମପୁର ବ୍ଲକର ଦହିଗାଁ, ଦହିତା, ବୁଡେନ୍‌ ଆଦି ପେକ୍ସ ମାନଙ୍କରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି। ସରକାରୀ ଘୋଷଣା ମୁତାବକ ଚାଷୀଙ୍କ ଧାନ ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ ଉଠିବ ଏବଂ ସଂଗେ ସଂଗେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ବୋଲି କରିଥିବା ଘୋଷଣା ଏଠାରେ ଧୂଅାଁବାଣରେ ପରିଣତ ହୋଇଛି। ତେବେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର