ପୁଲିସ୍‌ ଉପସ୍ଥିତିରେ ଉଠିଲା ଧାନ :ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

ୟାର୍ଡରେ ଅଚଳାବସ୍ଥା

ଅତାବିରା: ଅତାବିରା ମାର୍କେଟ ୟାର୍ଡରେ କିଛି ଦିନ ହେଲା ମିଲର୍‌ ଆସୁ ନଥିବାରୁ ଅଚଳାବସ୍ଥା ଲାଗି ରହିଥିବା ବେଳେ ଚାଷୀମାନେ ଏନେଇ ତାତି ଉଠିଛନ୍ତି। ଗୁରୁବାର ଦିନ ସୁଦ୍ଧା ୩୫ ହଜାର ପ୍ୟାକେଟ୍‌ ଧାନ ପଡ଼ି ରହିଥିବାରୁ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନ କରିଥିଲେ। ଦୀର୍ଘ ସମୟ ଧରି ସିଏସ୍‌ଓ ଶ୍ରୀକର ମାଝୀ, ନାରାୟଣ ପଣ୍ଡା ସମେତ ପଦସ୍ଥ ଯୋଗାଣ ଅଧିକାରୀଙ୍କୁ ଘେରି ରଖିଥିଲେ। ଆଲୋଚନା ପରେ ୩୦ରୁ ଉଦ୍ଧ୍ଵର୍ ଟ୍ରକ ଆସି ଧାନ ଉଠାଇବା ପରେ ଉତ୍ତେଜନା ହ୍ରାସ ହୋଇଥିଲା। ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ପୁଲିସ ଉପସ୍ଥିତିରେ ଧାନ ଉଠିଥିଲା। ପ୍ରକାଶ ଯେ, ଗତ ଶୁକ୍ରବାରରୁ ଶତାଧିକ ଚାଷୀଙ୍କ ଧାନ ୟାର୍ଡରେ ପହିଂଚିଥିଲେ ସୁଦ୍ଧା ମିଲର୍‌ ମାନଙ୍କ ଦେଖାନଥିଲା।

ଅଦିନିଆ ବର୍ଷାରେ ଧାନ ଭିଜି ଏମ୍‌ସି(ଆର୍ଦ୍ରତା) ୧୭ ପ୍ରତିଶତରୁ ଉଦ୍ଧ୍ଵର୍ରେ ରହୁଥିବାରୁ ମିଲର୍ସ ଆସୁ ନାହାନ୍ତି। ମିଲ୍‌ ପଏଣ୍ଟରେ ଧାନ ବୋଝେଇ ଗାଡ଼ି ଅନ୍‌ଲୋଡ଼ ହେଉ ନଥିବା ବାହାନା କରି ମିଲର୍‌ମାନେ ୟାର୍ଡକୁ ଗାଡ଼ି ପଠାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ନାମକୁ ମାତ୍ର କିଛି ଗାଡ଼ି ୟାର୍ଡକୁ ଆସିଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହେ ଧରି ୟାର୍ଡରେ ପାହାଡ଼ ଭଳି ହଜାର ହଜାର ବସ୍ତା ଧାନ ଗଦା ହୋଇ ପଡ଼ି ରହିଥିଲା। ପ୍ରତିବାଦ ସ୍ୱରୂପ ଗୁରୁବାର ଦିନ ଚାଷୀମାନେ ୟାର୍ଡ ଅଫିସ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିଥିଲେ। ଘଣ୍ଟାଏ ମଧ୍ୟରେ ସମାଧାନ ନ ହେଲେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ସିଏସ୍‌ଓ ଶ୍ରୀ ମାଝୀଙ୍କ ସମେତ ଆର୍‌ଏମ୍‌ସି ସଂପାଦକ ବିଶ୍ୱଜିତ ବାରିକ ଆଲେଚନା ପାଇଁ ଆସିଥିଲେ। ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦ, ଚାଷୀ ନେତା ବିରେନ୍ଦ୍ର କର, ଉନ୍ନି ନାୟାର, କୃଷକ ସଂଗଠନର ଗୌରଚନ୍ଦ୍ର ବାରିକ ସମେତ ଉପସ୍ଥିତ ଚାଷୀମାନେ ଦୀର୍ଘ ସମୟ ଅଧିକାରୀଗଣଙ୍କ ସହ ଆଲୋଚନା ପରେ ସଂଧ୍ୟା ସୁଦ୍ଧା ୩୦ରୁ ଉଦ୍ଧ୍ଵର୍ ଟ୍ରକ ଆସିଥିଲା। ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର