ଚିକିତ୍ସା ପାଇଲେନି ୪ ଆହତ, ବିଷ ପିଇଥିବା ବୃଦ୍ଧ ମୃତ

ପାଇକମାଳ ପିଏଚ୍‌ସି: ଡାକ୍ତର ଯାଇଛନ୍ତି ଟ୍ରେନିଂ, ଫାର୍ମାସିଷ୍ଟ ଧର୍ମଘଟରେ

ପାଇକମାଳ: ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣି ଥରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ଅନେକ ଦିନ ଧରି ଡାକ୍ତର ପଦ ଖାଲି ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ଆସୁଥିବା ବେଳେ ଗତ ଡିସେମ୍ବର ମାସରେ ଡା. ଶ୍ରୀଧର ପ୍ରଧାନ ଯୋଗେ ଦେବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହୋଇ ଆସୁଥିଲା। ମାତ୍ର ବର୍ତ୍ତମାନ ଡାକ୍ତର ଟ୍ରେନିଂରେ ଯାଇଥିବା ବେଳେ ଫାର୍ମାସିଷ୍ଟ ଧର୍ମଘଟରେ ଯୋଗ ଦେଇଥିବାରୁ ସ୍ଥିତି ଯଥା ପୂର୍ବଂ ହୋଇ ଯାଇଛି। ଫଳରେ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଖାନାକୁ ଆସିଥିବା ୪ ଜଣ ଦୁର୍ଘଟଣାଗ୍ରସ୍ତ ଆହତ ଚିକିତ୍ସା ନ ପାଇ ଫେରି ଯାଇଥିବା ବେଳେ ବିଷ ପିଇଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
ମିଳିଥିବା ସୂଚନାନୁସାରେ ଗତ ମଙ୍ଗଳବାର ଠାରୁ ଡା. ପ୍ରଧାନ ବରଗଡ଼ ମୁଖ୍ୟାଳୟକୁ ୪ ଦିନିଆ ଟ୍ରେନିଂରେ ଯାଇଛନ୍ତି। ଏଭଳି ସ୍ଥିତିରେ ଫାର୍ମାସିଷ୍ଟ ସି.ଆର୍‌. ଦାସ ହିଁ ରୋଗୀଙ୍କ ଭରସା ଥିବା ବେଳେ ସେ ବି ଭୁବନେଶ୍ୱରରେ ଚାଲିଥିବା ଧର୍ମଘଟରେ ଯୋଗ ଦେବାକୁ ଚାଲି ଯାଇଛନ୍ତି। ଯଦ୍ୱାରା ମଙ୍ଗଳବାର ସନ୍ଧ୍ୟାରେ ହିଁ ଦୁଇଟି ଦୁର୍ଘଟଣାରେ ଆହତ ୪ ଜଣ ଓ ବିଷ ପାନ କରିଥିବା ଜଣେ ବୃଦ୍ଧ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ନିରାଶ ଫେରି ଯାଇଥିଲେ। ଗତକାଲି ସନ୍ଧ୍ୟା ୭ଟାରେ ଝାରବନ୍ଧ ଗ୍ରାମର ଓକିଲ ମହାକୁଡ଼ ଓ ସାଥୀ ବାଇକ୍‌ରେ ଗାଁକୁ ଫେରୁଥିବା ହୀରାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ସେମାନଙ୍କୁ ତୁମୁରିପାଣି ପ୍ରାଥମିକ ସ୍କୁଲ୍‌ର ଶିକ୍ଷକ ଦିବସ ସାହୁ ଉଦ୍ଧାର କରି ପାଇକମାଳ ପିଏଚ୍‌ସିକୁ ଆଣିଥିଲେ।

କିନ୍ତୁ ଡାକ୍ତର କି ଫାର୍ମାସିଷ୍ଟ ନ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ୧୦୮ ଆମ୍ବୁଲାନ୍‌ସ ଡକାଯାଇଥିଲା। ମାତ୍ର ଗାଡ଼ି ଆସିବା ପୂର୍ବରୁ ପରିସ୍ରା ଯିବା ବାହାନାରେ ଦୁହେଁ ଫେରାର୍‌ ହୋଇଯାଇଥିଲେ। ଏହାର ଅଳ୍ପ ସମୟ ପରେ ବୈତାଳି ଛକ ନିକଟରେ ଘଟିଥିବା ଆଉ ଏକ ବାଇକ୍‌ ଦୁର୍ଘଟଣାର ଦୁଇ ଜଣ ଆହାତଙ୍କୁ ଏଠାକୁ ଅଣାଯାଇଥିବା ବେଳେ ଉପରୋକ୍ତ କାରଣରୁ ଚିକିତ୍ସା ହୋଇ ପାରି ନଥିଲା। ଫଳରେ ସାମ୍ବାଦିକମାନେ ପଦ୍ମପୁର ଏସ୍‌ଡିଏମ୍‌ଓ ଡା. ଏ.କେ. ନାଥଶର୍ମାଙ୍କୁ ଫୋନ୍‌ରେ ଜଣାଇବା ପରେ ସେ ସେମାନଙ୍କୁ ପଦ୍ମପୁର ପଠାଇବାକୁ କହିଥିଲେ।

କିଛି ସମୟ ଯାଇଛି କି ନାହିଁ ରାତି ପ୍ରାୟ ୯ଟା ବେଳେ ପାଇକମାଳ କଟାପଡ଼ାର ଶତ୍ରୁଘ୍ନ ବରିହା (୭୦) ଆତ୍ମହତ୍ୟା ଉଦ୍ଦେଶ୍ୟରେ ବିଷ ଖାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଆସିଥିଲେ। ଏହା ଦେଖି ସ୍ଥାନୀୟ ସାମ୍ବାଦିକ ପୁଣି ଥରେ ଏସ୍‌ଡିଏମ୍‌ଓଙ୍କୁ ଫୋନ୍‌ରେ ଜଣାଇବା ପରେ ସେ ମାଣ୍ଡୋସିଲ୍‌ର ଡାକ୍ତର ନାରାୟଣ ପଶାୟତଙ୍କୁ ଏଠାକୁ ପଠାଇଥିଲେ। ଡା. ପଶାୟତ ପହଞ୍ଚି ପ୍ରାଥମିକ ଚିକିତ୍ସା ପରେ ପଦ୍ମପୁର ପଠାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶତ୍ରୁଘ୍ନଙ୍କ ମୃତ୍ୟୁ ଘଟିଥିଲା। ବୁଧୁବାର ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଉପରୋକ୍ତ କାରଣକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର