ଦୁଷ୍କର୍ମ ଅଭିଯୋଗ ଘଟଣା:ଗିରଫଦାରି ପାଇଁ ପୁଲିସ୍‌ର ଅଭିଯାନ

ବରଗଡ଼: ମା’ଙ୍କ ଚିକିତ୍ସା ପାଇଁ ଘରେ ନିୟୋଜିତ ଥିବା ହୋମ ନର୍ସଙ୍କୁ ଦୁଷ୍କର୍ମ ଘଟଣାରେ ଛନ୍ଦି ହୋଇଛନ୍ତି ବରଗଡ଼ ସହରର ଓମ୍‌ପ୍ରକାଶ ପନ୍‌ସାରି। ଗତ ୨୯ ତାରିଖ ଏନେଇ ପୀଡ଼ିତା ଜଣକ ଟାଉନ ଥାନାରେ ଏତଲା ଦେଇଥିଲେ ହେଁ ଅଭିଯୁକ୍ତ ଓମ୍‌ ଏଯାଏଁ ଗିରଫ ହୋଇନାହାନ୍ତି। ସେ ସହର ଛାଡ଼ି କୁଆଡ଼େ ଫେରାର୍‌ ମାରିଥିବା ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ଓମ୍‌କୁ ଗିରଫ କରିବା ପାଇଁ ଅଭିଯାନ ଚଳାଇଥିବା ବିଶ୍ୱସ୍ତସୂତ୍ରରୁ ପ୍ରକାଶ। ହେଲେ ଏହି ଅବଧି ମଧ୍ୟରେ ଓମ୍‌ ଗିରଫ ଭୟରେ ଆଗୁଆ ଜାମିନ ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ପୁଲିସ୍‌ ଘଟଣା ସଂପର୍କରେ ନିଜପଟୁ କିଛି କହୁନଥିଲେ ହେଁ ଓମ୍‌ଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଗିରଫଦାରୀ କେତେ ଦିନ ଲମ୍ବିବ ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ କିଛି ସଂଗଠନ ଏହି ଘଟଣା ନେଇ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବାକୁ ସଜବାଜ ହେଲେଣି। ଖୁବଶୀଘ୍ର ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ ବୋଲି କିଛି ମାନବାଧିକାର କର୍ମୀ କହୁଛନ୍ତି। ଏହାବାଦ ପୀଡ଼ିତା ଜଣକ ଚାପରେ ପଡ଼ି ମାମଲା ପ୍ରତ୍ୟାହାର କରିବେ ନା ଆଗକୁ ବଢ଼ିବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୂଚନାଯୋଗ୍ୟ, ଗତ ୨୨ ତାରିଖ ଘରେ ସ୍ତ୍ରୀ ନଥିବାବେଳେ ଓମ୍‌ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର