ପଦ୍ମ ଧରିବାକୁ ସଜବାଜ:ଦଳ ଛାଡ଼ିଲେ ବିଜେଡି, କଂଗ୍ରେସ କର୍ମୀ

ବରଗଡ଼,: ବିଜେପୁର ଗଡ଼ ଦଖଲ ପାଇଁ ସବୁ ଦଳ ରଣନୀତି ସଜାଡ଼ିବାରେ ବ୍ୟସ୍ତ। ଏଭଳି ସରଗରମ ପରିବେଶ ମଧ୍ୟରେ ଦଳଡିଆଁ ପ୍ରକ୍ରିୟା ପ୍ରାକ୍‌ ନିର୍ବାଚନୀ ମାହୋଲକୁ ଆହୁରି ଗରମ କରି ଦେଇଛି। ଦିନକୁ ଦିନ ଇସ୍ତଫା ପତ୍ରର ତାଲିକା ବଢ଼ି ଚାଲିଛି। ମଂଗଳବାର ଗାଇସିଲାଟ୍‌ ବ୍ଲକର ବିଜେଡି ଏବଂ କଂଗ୍ରେସ ନେତା ତଥା କର୍ମୀମାନେ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାକୁ ସଂକେତ ଦେଇଛନ୍ତି। ବିଜେଡିରୁ ଗାଇସିଲାଟ୍‌ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ଚିକିଲିର ପୂର୍ବ ସରପଞ୍ଚ ରୀନା ଡନ୍‌ସେନା, ଚୂଡ଼ାମଣି, ସାହୁ, ପ୍ରତାପ ସାହୁ, ପୂର୍ବତନ ସମିତି ସଭ୍ୟା ନୀଲାବତୀ ପଧାନ, ପ୍ରକାଶ ବରିହା, ନୃପରାଜ ସାହୁ, ଦିଲିପ ସାହୁ, ଜୟକୃଷ୍ଣ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଉପେନ୍ଦ୍ର ମିଶ୍ର, ଛିନୁ ଗୁରୁ, ସୁରେଶ ଡନ୍‌ସେନା, ଅମିନ ପଧାନଙ୍କ ସମେତ କଂଗ୍ରେସର ବହିଦାର ବିଶ୍ୱାଳ, ଯଦୁମଣି ସାହୁ, ମଂଗଳ ଭୁଏ, ଗୁମୁଡ଼ୁ ନାୟକ ପ୍ରମୁଖ ନିଜନିଜ ଇସ୍ତଫା ପତ୍ର ଦଳୀୟ ଜିଲ୍ଲା ସଭାପତି ଏବଂ ରାଜ୍ୟ ନେତୃମଣ୍ଡଳିକୁ ପଠାଇଛନ୍ତି। ଏମାନେ ବିଜେପିରେ ମିଶିବା କେବଳ ଔପଚାରିକତା ରହିଛି। ବର୍ତମାନ ବିଜେପି ନେତୃମଣ୍ଡଳି ଏନେଇ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି। ହେଲେ ନିକଟ ଭବିଷ୍ୟତରେ ଗାଇସିଲାଟ୍‌ରେ ଏକ ବଡ଼ଧରଣର ମିଶ୍ରଣ ପର୍ବ ଆୟୋଜନ କରି ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି। ଉପନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଏହି ମିଶ୍ରଣ ପର୍ବ ଆୟୋଜନ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର