୧୮ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାସ : ଫାଇନାନ୍ସ ସଂସ୍ଥା କର୍ମଚାରୀ ସମେତ ୫ ଗିରଫ

ବରଗଡ଼ : ଗୁରୁବାର ବିଳମ୍ବିତ ରାତିରେ ବରଗଡ଼ ସହର ଭଟଲି ଛକ ପାଖରେ ଥିବା ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ୍‌ ଲିମିଟେଡ୍‌ ସଂସ୍ଥା କାର୍ଯ୍ୟାଳୟରୁ ବଡ଼ ଧରଣର ଲୁଟ୍‌ ଅଭିଯୋଗ ହୋଇଥିଲା। ଲୁଟେରାମାନେ କାର୍ଯ୍ୟାଳୟ ଭିତରେ ଥିବା ଲକର୍‌ ଭାଙ୍ଗି ୧୮ଲକ୍ଷ ୪୦ ହଜାର ଟଙ୍କା ନେଇ ପଳାଇଥିଲେ। ତେବେ ବରଗଡ଼ ପୁଲିସ୍‌ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ପୁଲିସ୍‌ ସଂସ୍ଥାର ୨ ଜଣ କର୍ମଚାରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଲୁଟ୍‌ ଟଙ୍କାରୁ ୧୭ ଲକ୍ଷ ୬୧ ହଜାର, ଗୋଟିଏ ଟାବ୍‌, ବାଇକ୍‌ ଏବଂ ୩ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀ ଚକ୍ରଧର ସୁନାନୀ ଓ ରଶ୍ମିରଞ୍ଜନ ସାହୁଙ୍କ ସହ ନୂଆପଡ଼ାର ଚରଣ ତାଣ୍ଡି ଏବଂ ତା’ର ଦୁଇ ସହଯୋଗୀ ଅନିଲ ଜଗତ ଓ ତୁଳାରାମ ତକ୍ରା।

ପୁଲିସ ସୂଚନା ମୁତାବକ, ଫାଇନାନ୍ସ କମ୍ପାନିର ଚକ୍ରଧର ସହ ପୂର୍ବରୁ ଚରଣର ବନ୍ଧୁତା ଥିଲା। ଦୁହେଁ ମିଶି ଏହି ଲୁଟ୍‌ ପାଇଁ ଯୋଜନା କରିଥିଲେ। କମ୍ପାନିର ଅନ୍ୟତମ କର୍ମଚାରୀ ରଶ୍ମିରଞ୍ଜନକୁ ସେମାନେ ଏଥିରେ ସାମିଲ କରିଥିଲେ। ଘଟଣା ରାତିରେ ବିଭିନ୍ନ ଶାଖାରୁ ଆଦାୟ ହୋଇଥିବା ଟଙ୍କା କାର୍ଯ୍ୟାଳୟର ଦୁଇଟି ଲକର୍‌ରେ ଥିବା ବେଳେ ତା’ର ଚାବି ରଶ୍ମିରଞ୍ଜନ ପାଖରେ ଥିଲା। ଶୁକ୍ରବାର ଉକ୍ତ ଟଙ୍କା ବ୍ୟାଙ୍କରେ ଜମା ହୋଇଥାନ୍ତା। ମାତ୍ର ଯୋଜନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଗୋଟିଏ ବାଇକ୍‌ରେ ଚରଣ ତା’ର ଦୁଇ ସହଯୋଗୀ ଅନିଲ ଓ ତୁଳାରାମ ସହ ଫାଇନାନ୍ସ କମ୍ପାନି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଭିତରକୁ ପଶି ସେଠାରେ ଶୋଇଥିବା କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉକ୍ତ କର୍ମଚାରୀଙ୍କୁ ଧମକ ଦେବାରୁ ସେ ଚୁପ୍‌ଚାପ ରହିଥିବା ବେଳେ ଦୁର୍ବୃତ୍ତମାନେ ରଶ୍ମିରଞ୍ଜନ ପାଖରୁ ଚାବି ନେଇ ଦୁଇଟି ଯାକ ଲକର୍‌ ଖୋଲି ଟଙ୍କା ଧରି ଫେରାର୍‌ ମାରିଥିଲେ। ଯିବା ପୂର୍ବରୁ କାର୍ଯ୍ୟାଳୟର ବାହାର ପଟୁ ଶିକୁଳି ଦେଇ ଦେଇଥିଲେ।

ଏ ନେଇ ଟାଉନ ପୁଲିସ୍‌ କେସ ନମ୍ବର ୨୯୨ ଆଇପିସି ୩୪୨/୪୫୮/୩୯୪ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ମାମଲାର ତଦନ୍ତ ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୁକେଶ ଭାମୁ, ଏସ୍‌ଡିପିଓ ସୁରେଶ ନାୟକ, ଆଇଆଇସି ବିଭୂତି ଭୂଷଣ ଭୋଇ ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର