ମାତୃହନ୍ତାକୁ ଆଜୀବନ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମଲଦା ଗ୍ରାମରେ ଗତ ୨୦୧୬ରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ମଙ୍ଗଳବା ରାୟ ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ପଦ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍‌ ଶରତ କୁମାର ଦେହୁରୀ ମାତୃ ହତ୍ୟାକାରୀ ପୁତ୍ରକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ପ୍ରକାଶଥାଉ କି ମାଲଦା ଗ୍ରାମର ଜଗଦୀଶ ବରିହା ତାଙ୍କ ନିଜ ଭାଇ ମୁନୁ ବରିହା ତାଙ୍କ ମା’କୁ ହତ୍ୟା କରିଥିବା ପାଇକମାଲ ଥାନାରେ ଏତଲା ଦେଇଥିଲେ। ଏତଲାନୁସାରେ ଗତ ୨୭.୧୦.୧୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳେ ମୁନୁ ଘରେ ପହଞ୍ଚି ମା’ ଦୁଲା ବରିହାଙ୍କୁ ଭାତ କାହିଁକି ରାନ୍ଧି ନାହୁଁ ବୋଲି କହି ଏକ ବଡ଼ିରେ ଆକ୍ରମଣ କରିଥିଲା। ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଦୁଲାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏପରିକି ଗାଁର ବିଦ୍ୟାଧର ବରିହା ପ୍ରତିବାଦ କରିବାରୁ ମୁନୁ ତାଙ୍କୁ ମଧ୍ୟ ଧମକ ଚମକ ଦେଇଥିଲା। ଫଳରେ ବିଦ୍ୟାଧର ଖଲାବାହାଲ ଗାଁରେ ରହୁଥିବା ଦୁଲାଙ୍କ ଅନ୍ୟ ପୁଅ ଜଗଦୀଶଙ୍କୁ ଘଟଣା ସଂପର୍କରେ ଜଣାଇବା ପରେ ସେ ପହଞ୍ଚି ମା’କୁ ମୃତ ଦେଖି ଥାନାରେ ଏତଲା ଦେଇଥିଲେ। ତତ୍‌କାଳୀନ ଥାନାଧିକାରୀ ପ୍ରକାଶ କର୍ଣ୍ଣ ଆଇପିସିର ଦଫା ୩୦୨ରେ ମାମଲା ରୁଜୁ କରି ମନୁକୁ ଗିରଫ କରିବା ସହ କୋର୍ଟ ଲାଣ କରିଥିଲେ। ମାମଲାର ଶୁଣାଣି କରି ପଦ୍ମପୁର ଅତିରିକ୍ତ ଦୌରା ଜଜ୍‌ ଶ୍ରୀ ଦେହୁୁରୀ ମୋଟ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର ଆସାମୀ ମନୁକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଜନୀକାନ୍ତ ଦାସ ମାମଲାର ପରିଳନା କରିଥିଲେ।

ସମ୍ବନ୍ଧିତ ଖବର