ବିଜେଡ଼ିରେ ମିଶିବେ ସୁବଳଙ୍କ ପରିବାର, ସ୍ପଷ୍ଟ କଲେ ବିଧାୟକଙ୍କ ପୁଅ

ବରଗଡ଼: ନିକଟରେ ପରଲୋକ ଘଟିଥିବା ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ବିଜୁ ଜନତା ଦଳରେ ସାମିଲ ହେବେ। ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପୁଅ ସୁମିତ ସାହୁ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସୁବଳଙ୍କ ପରିବାର ଆଗାମୀ ସେପ୍ଟେମ୍ବର ୨୩ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେବେ।

ପ୍ରତିକ୍ରିୟାରେ ସୁମିତ କହିଛନ୍ତି, ବାପାଙ୍କ ଅଧୁରା ସ୍ୱପ୍ନକୁ ଆମେ ପୁରଣ କରିବୁ। ବିଜେଡ଼ିରୁ ଆମ ପରିବାରକୁ ପ୍ରତିଶୃତି ମିଳିଛି। ବିଜେଡି ପକ୍ଷରୁ ମା’ଙ୍କୁ ପ୍ରତିଶୃତି ମିଳିଥିବା କଥା ସୁମିତ ସୂଚନା ଦେଇଛନ୍ତି। ସୁବଳଙ୍କ ପରିବାର ବିଜେଡ଼ିରେ ସାମିଲ ହେବା ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବୁଧବାର ସୂଚନା ଦେଇଥିଲେ ଯେ, ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଉପନିର୍ବାଚନ ହେବ। ଗତ ଅଗଷ୍ଟ ୨୨ରେ ସୁବଳଙ୍କ ପରଲୋକ ଘଟିଥିଲା।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ କଂଗ୍ରେସର ପ୍ରଭାବ ନଥିଲେ ମଧ୍ୟ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଯୋଗୁଁ ସ୍ୱର୍ଗତ ସୁବଳ ସାହୁ ବିଗତ ଦିନରେ ୩ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ପାରିଥିଲେ। ସେ ୨୦୦୪, ୨୦୦୯ ଓ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୪ରେ ସୁବଳ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟକୁ ପରାସ୍ତ କରି ଓଡ଼ିଶା ବିଧାନସଭାକୁ ୩ୟ ଥର ପାଇଁ ପହଞ୍ଚି ପାରିଥିଲେ।

ସମ୍ବନ୍ଧିତ ଖବର