ଗଛକୁ ପିଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ 

ଅମ୍ବାଭୋନା: ଅମ୍ବାଭୋନା ଥାନା ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ ନିକଟ ଆମ୍ବବୋରାଇ ବୁଲାଣି ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ବେନିଆଁପାଲ ଅଲେଖପୁର ଗ୍ରାମର ଧବଳେଶ୍ବର ଭୋଇ(୪୦) ବୋଲି ଜଣାପଡିଛି। ଭୁକ୍ତା ପଟରୁ ଆସୁଥିବା ଏହି ନମ୍ବର ବିହୀନ ଟ୍ରାକ୍ଟରଟି ଭାରସାମ୍ୟ ହରାଇ କ୍ଷେତକୁ ପଶିଯାଇ ହିଡ଼ରେ ଥିବା ଏକ ନିମ୍ବଗଛକୁ ଧକ୍କ‌ା ଦେଇଥିଲା। କିନ୍ତୁ ଦୁର୍ଘଟଣାସ୍ଥଳରୁ ୨ ଶହ ମିଟର ଦୂରରେ ଥିବା ଏକ ଟିକ୍ରାରେ ଡ୍ରାଇଭର ଧବଳେଶ୍ବରଙ୍କ ମୃତଦେହ ପଡିଥିଲା। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତ ଡ୍ରାଇଭର ଧବଳେଶ୍ବରଙ୍କ ଶବକୁ ଜବତ କରିଛି। ହେଲେ ତାଙ୍କ ଶରୀରରେ ଦୁର୍ଘଟଣାର କୌଣସି କ୍ଷତଚିହ୍ନ ନଥିବା ପୁଲିସ୍ ଦେଖିବାକୁ ପାଇଥିଲା। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଉକ୍ତ ଟ୍ରାକ୍ଟରଟି ଭୁକ୍ତାର ଚୈତନ୍ୟ ପଟେଲଙ୍କ ବୋଲି ଜଣାପଡିଛି। ଟ୍ରାକ୍ଟରକୁ ଭୁକ୍ତାରୁ ଛାଡ଼ି ଆସୁଛି କହି ଧବଳେଶ୍ବର ଘରକୁ ଫେରିନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଧବଳେଶ୍ବରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ତଦନ୍ତ କରିବାକୁ  ଅଞ୍ଚଳବାସୀ ଦାବି କରିଛନ୍ତି। ତାଙ୍କର ବୃଦ୍ଧା ମା, ପତ୍ନୀ ଓ ଦୁଇଟି ସନ୍ତାନ  ଅଛନ୍ତି।  ତେବେ ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର