୨ ଭାଇଙ୍କୁ ଶିକୁଳିରେ ବନ୍ଧା ଘଟଣା: ମେଡିକାଲ ଟିମର ତଦନ୍ତ ଆରମ୍ଭ

କୋକସରା: କୋକସରା ବ୍ଲକ୍ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗ୍ରାମରେ ୧୨ ବର୍ଷ ଧରି ମାନସିକ ରୋଗାଗ୍ରସ୍ତ ୨ ଭାଇ ଶିକୁଳିରେ ବନ୍ଧା ପଡ଼ିଥିବା ଘଟଣା ଜଣାପଡ଼ିବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶ କ୍ରମେ କୋକସରା ସିଏଚ୍‌ସିର ଡା. ତତ୍ତ୍ବଦର୍ଶୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ବାରବଖରା ଗ୍ରାମରେ ପହଞ୍ଚି ୨ ମାନସିକ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ କରିଛି।
କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗ୍ରାମର ସ୍ୱର୍ଗତ ବେଣୁ ଧରୁଆଙ୍କ ୨ ପୁଅ କ୍ଷିତି ଧରୁଆ ଓ ଲଲିତ ଧରୁଆ ୧୨ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ହୋଇ ଜୀବନ ଅତିବାହିତ କରୁଛନ୍ତି। ଗ୍ରାମବାସୀ ୨ ଭାଇଙ୍କ ପାଗଳାମୀ ଦେଖି ଗୋଡ଼ରେ ଓ ହାତରେ ଶିକୁଳି ଲଗାଇ ଦେଇଥିବା ବେଳେ ସେମାନେ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି। ୨ ଭାଇଙ୍କ ମାନସିକ ସ୍ଥିତି ଖରାପ ହେବା ପରେ ପରିବାର ଚିକିତ୍ସା ବଦଳରେ ଗୁଣି ଗାରେଡ଼ିର ଆଶ୍ରୟ ନେଇ ନିରାଶ ହୋଇଥିଲେ। ଏହି ଘଟଣାଟି ଲୋକଲୋଚନକୁ ଆସିବା ପରେ ରବିବାର ଏକ ମେଡିକାଲ ଟିମ ବାରବଖରା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ୨ ଭାଇଙ୍କ ଚିକିତ୍ସା କରିବା ପାଇଁ ଜିଲ୍ଳା ମୁଖ୍ୟାଳୟକୁ ପଠାଯିବ ବୋଲି କୋକସରା ଡାକ୍ତରଖାନା ଦାୟିତ୍ୱରେ ଥିବା ଚିକିତ୍ସାଧିକାରୀ ଡା. ଦାସ ସୂଚନା ଦେଇଛନ୍ତି। ଏହି ଟିମରେ ଧର୍ମଗଡ଼ ବ୍ଳକ୍ ମେଡିକାଲ ମ୍ୟାନେଜର ମାନସ ରଞ୍ଜନ ସ୍ୱାଇଁ, କୋକସରା ରାଜସ୍ୱ ନିରୀକ୍ଷକ କାର୍ତ୍ତିକ ସୁନା, ଅତିରିକ୍ତ ରାଜସ୍ୱ ଅଧିକାରୀ ଭଗତରାମ ସାହୁ, ଡା. ପ୍ରିୟଦର୍ଶିନୀ ସାହୁ, ଡା. ସୁଶାନ୍ତ ମହାପାତ୍ର, ସ୍ୱାସ୍ଥ୍ୟ କର୍ମୀ ନୀଳମଣି ଖମାରୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର